ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଧାରଣା
ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଆନେ୍ଦାଳନକୁ ଓହ୍ଲାଇଥିବା ଜଣାପଡିଛି ।
ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ୧୪ଜଣ ଛାତ୍ରୀ ଓ ୧୩ ଜଣ ଛାତ୍ର ଅଧ୍ୟୟନ କରୁଥିବାବେଳେ ସପ୍ତମ ଶ୍ରେଣୀରେ ୪ ଜଣ ଛାତ୍ରୀ ଓ ୮ଜଣ ଛାତ୍ର ପାଠ ପଢୁଛନ୍ତି । ଏମାନଙ୍କୁ ପାଠ୍ୟଦାନ କରିବା ପାଇଁ ଜଣେ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ନିୟୋଜିତ ରହିଛନ୍ତି । ହେଲେ ଏଠାରେ ନିଯୁକ୍ତ ପ୍ରଧାନ ଶିକ୍ଷକ ଭକ୍ତଧନ ମେହେର ଛାତ୍ରଛାତ୍ରୀମାନଙ୍କୁ ପାଠ ନ ପଢ଼ାଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବାବେଳେ ଅନେକ ସମୟରେ ଜାମୁକୋଳି ଗୋଟାଇବା, ଚୋପା ଛଡ଼ାଇବା ଓ ଶୁଖାଇବା ଭଳି କାର୍ଯ୍ୟରେ ନିୟୋଜିତ କରୁଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ସ୍କୁଲ ସମ୍ମୁଖରେ ସାମୂହିକ ଟିସି ନେଇଯିବା ପାଇଁ ଅଡି ବସିଥିଲେ । ପରେ ଖବର ପାଇ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର ସେଠଙ୍କ ନିଦେ୍ର୍ଦଶକ୍ରମେ ସିନାପାଲି ସହ ଶିକ୍ଷା ଗୋଷ୍ଠୀ ଅଧିକାରୀ ପ୍ରଦୀପ ପଣ୍ଡା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ଡେପୁଟେସନରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି କହିବା ପରେ ଛାତ୍ରଛାତ୍ରୀ ଶାନ୍ତ ପଡ଼ିଥିଲେ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଅନେକ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ କିଛି ଶିକ୍ଷକମାନଙ୍କ ଦାୟିତ୍ୱହୀନତା ଯୋଗୁଁ ଛାତ୍ରଛାତ୍ରୀମାନେ ପ୍ରକୃତ ଶିକ୍ଷା ଆହରଣ କରିବାରେ ବଞ୍ଚôତ ହୋଇ ଏଭଳି ସମସ୍ୟା ଉପୁଜୁଥିବା ଜଣାପଡିଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ଦୀର୍ଘଦିନ ଧରି ଛୁଟିରେ ରହୁଥିବା ବେଳେ ଶିକ୍ଷାଦାନରେ ଡୋରି ବନ୍ଧା ହୋଇଯାଇଛି । ଜଣେ ସହକାରୀ ଶିକ୍ଷକ କିଭଳି ଭାବରେ ବିଦ୍ୟାଳୟ ପରିଚାଳନା ଓ ପାଠ୍ୟଦାନ କରୁଥିବେ ତାହା ବେଶ୍ ବୁଝା ପଡୁଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି । ଏ ସଂପର୍କରେ ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏହାର ସମାଧାନ କରାଯିବ । ଡେପୁଟେସନରେ ଶିକ୍ଷକ ନିଯୁକ୍ତି ଦିଆଯାଇଛି ଓ ଅନ୍ୟତ୍ର ବଦଳି କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।