କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ : ‘ବିଦ୍ୟାଳୟରେ ସାମିଲ୍ ହେବ ଯୋଗ’
ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ କରିବା ସହିତ ଯୋଗ ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି ।
ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଇଜାଗ ଠାରୁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟାମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ । ଶାରୀରିକ ବ୍ୟାୟାମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ । ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ । ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିଲେ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ । ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ୱୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇ ପାରିଛି ।
ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’ । ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା । କିନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା । ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉସôାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ । ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ । ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ । ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ ।
କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟି ପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।