ଆସନ୍ତା୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଆସନ୍ତା୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଆସନ୍ତା ୯ ତାରିଖରେ ସର୍ବଭାରତୀୟ ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ ମିଳିତ ମଞ୍ଚର ଜାତୀୟ କନ୍‌ଭେନ୍‌ଶନରେ ଏହି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ କଳା ୪ ଶ୍ରମକୋଡ୍‌ର ବାତିଲ, ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ସମସ୍ତଙ୍କୁ ସର୍ବନିମ୍ନ ପେନ୍‌ସନ ୯ ହଜାର ଟଙ୍କା ଦେବା, ଆଉଟ୍‌ସୋର୍ସିଂ ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ସମାନ କାମକୁ ସମାନ ଦରମା, ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଖାଲିଥିବା ପଦବୀ ପୂରଣ, ସର୍ବନିମ୍ନ ମାସିକ ମଜୁରି ୨୬ ହଜାର ଟଙ୍କା ଦେବା, ପୁରୁଣା ପେନ୍‌ସନ ସ୍କିମ୍‌ର ପୁନଃ ପ୍ରଚଳନ ଆଦି ୧୭ ଦଫା ଦାବି କରାଯାଇଛି। ଏଥିସହ ବ୍ୟାଙ୍କର ସାଧାରଣ ଗ୍ରାହକଙ୍କ ଉପରୁ ସେବାକର ପ୍ରତ୍ୟାହାର, କର୍ପୋରେଟ୍‌ଙ୍କ ଖିଲାପୀ ଋଣର ଅସୁଲ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ବୀମା ପଲିସି ଉପରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବିରେ ଏହି ଧର୍ମଘଟ ଆହ୍ବାନ ଦିଆଯାଇଛି। ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଗଠନ ଏନ୍‌ସିବିଇ, ଏଆଇବିଓସି, ଆଇଏମ୍‌ବିଓସି ଏବଂ ଆଇଏନ୍‌ବିଇଏଫ୍‌ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି। ଧର୍ମଘଟ ସଫଳ କରିବା ପାଇଁ ଏଓବିଇଏର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଓବିଇଏଫ୍‌ର ସାଧାରଣ ସମ୍ପାଦକ ପ୍ରକାଶ କୁମାର ରାୟ ଏବଂ ଏଆଇବିଓଏ ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଦାସ ଆହ୍ବାନ ଦେଇଛନ୍ତି।