ରାଜନୀତି ଟଙ୍କା ପାଇଁ ଭାଙ୍ଗିଯିବ କି ବିଜେଡ଼ି ?
ଭୁବନେଶ୍ୱର : ଅର୍ଥ ହିଁ ଅନର୍ଥର କାରଣ । ଟଙ୍କା ପଇସା ପ୍ରସଙ୍ଗରେ ଅତୀତରେ ଅନେକ ଦଳ ଭାଙ୍ଗିଯାଇଛି । ଅନେକ ମାଲି ମକଦ୍ଦମା ବି ହୋଇଛି । ବିଜୁ ଜନତା ଦଳରେ ବି ସେଭଳି ହୋଇପାରେ । ଏଭଳି ଆଶଙ୍କା ରାଜନୀତିକ ମହଲରେ ଘୂରିବୁଲୁଛି । କାହିଁକିନା ବିଜେଡ଼ି ପାଖରେ ଏବେ ଯେତିକି ଟଙ୍କା ଅଛି, ଦଳ ଅନେକ ଦିନ ଧରି ନିର୍ବାଚନ ଲଢ଼ିପାରିବ । ଏହି ଟଙ୍କା ପାଇଁ ହିଁ ବିଜେଡ଼ି ନେତାମାନେ ଇଚ୍ଛା ନଥିଲେବି ପାଣ୍ଡିଆନ ପାଣ୍ଡିଆନ୍ ବୋଲି ଜପୁଛନ୍ତି । ଆଗାମୀ ଦିନରେ ଯାହାକୁ ଟଙ୍କା ନମିଳେ ସେ ନିଶ୍ଚିତ ବିଦ୍ରୋହ କରିବ । ଧିରେଧିରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଚବିଶ ନିର୍ବାଚନରେ ଭିକେ ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ପରାସ୍ତ ହୋଇଥିଲା । ବିଜେଡ଼ି ନେତା, ବିଜେପି ନେତା, କଂଗ୍ରେସ ନେତା ଓ ରାଜନୀତିକ ସମୀକ୍ଷକମାନେ ଏହାକୁ ସ୍ୱୀକାର କରୁଛନ୍ତି । ବିଜେପିର ଅସ୍ମିତା ପ୍ରସଙ୍ଗ କେବଳ ପାଣ୍ଡିଆନଙ୍କ ପାଇଁ ଜୋର୍ ଧରିଥିଲା । ତଥାପିବି ପାଣ୍ଡିଆନଙ୍କୁ ବିଜେଡ଼ି ଛାଡ଼ି ପାରୁନାହିଁ । କାହିଁକିନା ପାଣ୍ଡିଆନଙ୍କ ପାଇଁ ହିଁ ବିଜେଡ଼ି ଧନୀ ଦଳ ହୋଇପାରିଛି । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ୬୨୫ କୋଟି ଟଙ୍କା ବଳକା ରଖିପାରିଛି । ବିନା ଟଙ୍କାରେ ବିଜେଡ଼ି ସଂଗଠନ ଆଗେଇ ପାରିବ ନାହିଁ । ତେଣୁ ପାଣ୍ଡିଆନଙ୍କ ହାତ ଛାଡ଼ି ନବୀନ ପଟ୍ଟନାୟକ ଓ ବିଜେଡ଼ି ନିଜକୁ ଅକଳରେ ପକାଇବାକୁ ଚାହୁଁନାହାନ୍ତି । ଦଳୀୟ ଆକାଉଣ୍ଟରେ ଏହି ଟଙ୍କା ଥିଲେବି ଖର୍ଚ୍ଚ କେବଳ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୁଏ ବୋଲି କୁହାଯାଏ ।
ବିଜେଡ଼ି ପାଖରେ ଏବେ ଅଛି ୬୨୫ କୋଟି ଟଙ୍କା । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଅର୍ଥାତ୍ ଦଳ ପାଖରେ ଆହୁରି ଗୋଟେ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଯଥେଷ୍ଟ ଟଙ୍କା ରହିଛି ।
୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି । ବିଜେଡ଼ି ଦଳୀୟ ପ୍ରଚାର ପାଇଁ ୨୭୭ କୋଟି ଟଙ୍କା ଖର୍ଚ୍ଚ କରିଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ନିର୍ବାଚନୀ ବ୍ୟୟ ପରେ ବିଜେଡ଼ି ପାଖରେ ଆହୁରି ୬୨୫ କୋଟି ୭ ଲକ୍ଷ ଟଙ୍କା ରହିଛି । ଦଳୀୟ ପ୍ରଚାର ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର ନିମନ୍ତେ ୨୫ କୋଟି ୪୬ ଲକ୍ଷ ଟଙ୍କ ଖର୍ଚ୍ଚ ହୋଇଛି ।
ଗତ ଚବିଶ ନିର୍ବାଚନ ବେଳେ ଭିକେ ପାଣ୍ଡିଆନ୍ ୨୧୨ ଥର ହେଲିକପ୍ଟରରେ ବୁଲିଛନ୍ତି । ୨୧୨ ସ୍ଥାନରେ ପାଣ୍ଡିଆନ୍ ଯାଇ ପ୍ରଚାର କରିଛନ୍ତି । ସେ ସର୍ବାଧିକ ୧୫୭ ଥର ଏକାକୀ ନିର୍ବାଚନ ପ୍ରଚାର କରିଥିଲେ । ତେବେ ନବୀନଙ୍କ ସହ ପାଣ୍ଡିଆନ୍ ୫୫ ଥର ହେଲିକପ୍ଟରରେ ଯାଇଛନ୍ତି । ନବୀନ କିନ୍ତୁ ମାତ୍ର ୬ ଥର ହେଲିକପ୍ଟର ଓ ୫ ଥର ଏକାକୀ ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାର କରିଥିଲେ । ସେହିପରି ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକପ୍ଟରରେ ଗସ୍ତ କରିଥିଲେ । ହେଲିକପ୍ଟର ଓ ଏୟାର କ୍ରାଫ୍ଟ ବାବଦରେ ବିଜେଡ଼ି ନିର୍ବାଚନ ବେଳେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।