ରାଜନୀତି ଟଙ୍କା ପାଇଁ ଭାଙ୍ଗିଯିବ କି ବିଜେଡ଼ି ?

ରାଜନୀତି  ଟଙ୍କା ପାଇଁ ଭାଙ୍ଗିଯିବ କି ବିଜେଡ଼ି ?

ଭୁବନେଶ୍ୱର : ଅର୍ଥ ହିଁ ଅନର୍ଥର କାରଣ  । ଟଙ୍କା ପଇସା ପ୍ରସଙ୍ଗରେ ଅତୀତରେ ଅନେକ ଦଳ ଭାଙ୍ଗିଯାଇଛି  । ଅନେକ ମାଲି ମକଦ୍ଦମା ବି ହୋଇଛି  । ବିଜୁ ଜନତା ଦଳରେ ବି ସେଭଳି ହୋଇପାରେ  । ଏଭଳି ଆଶଙ୍କା ରାଜନୀତିକ ମହଲରେ ଘୂରିବୁଲୁଛି  । କାହିଁକିନା ବିଜେଡ଼ି ପାଖରେ ଏବେ ଯେତିକି ଟଙ୍କା ଅଛି, ଦଳ ଅନେକ ଦିନ ଧରି ନିର୍ବାଚନ ଲଢ଼ିପାରିବ  । ଏହି ଟଙ୍କା ପାଇଁ ହିଁ ବିଜେଡ଼ି ନେତାମାନେ ଇଚ୍ଛା ନଥିଲେବି ପାଣ୍ଡିଆନ ପାଣ୍ଡିଆନ୍‌ ବୋଲି ଜପୁଛନ୍ତି  । ଆଗାମୀ ଦିନରେ ଯାହାକୁ ଟଙ୍କା ନମିଳେ ସେ ନିଶ୍ଚିତ ବିଦ୍ରୋହ କରିବ  । ଧିରେଧିରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି  ।

ଚବିଶ ନିର୍ବାଚନରେ ଭିକେ ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ପରାସ୍ତ ହୋଇଥିଲା । ବିଜେଡ଼ି ନେତା, ବିଜେପି ନେତା, କଂଗ୍ରେସ ନେତା ଓ ରାଜନୀତିକ ସମୀକ୍ଷକମାନେ ଏହାକୁ ସ୍ୱୀକାର କରୁଛନ୍ତି  । ବିଜେପିର ଅସ୍ମିତା ପ୍ରସଙ୍ଗ କେବଳ ପାଣ୍ଡିଆନଙ୍କ ପାଇଁ ଜୋର୍‌ ଧରିଥିଲା  । ତଥାପିବି ପାଣ୍ଡିଆନଙ୍କୁ ବିଜେଡ଼ି ଛାଡ଼ି ପାରୁନାହିଁ  । କାହିଁକିନା ପାଣ୍ଡିଆନଙ୍କ ପାଇଁ ହିଁ ବିଜେଡ଼ି ଧନୀ ଦଳ ହୋଇପାରିଛି  । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ୬୨୫ କୋଟି ଟଙ୍କା ବଳକା ରଖିପାରିଛି  । ବିନା ଟଙ୍କାରେ ବିଜେଡ଼ି ସଂଗଠନ ଆଗେଇ ପାରିବ ନାହିଁ  । ତେଣୁ ପାଣ୍ଡିଆନଙ୍କ ହାତ ଛାଡ଼ି ନବୀନ ପଟ୍ଟନାୟକ ଓ ବିଜେଡ଼ି ନିଜକୁ ଅକଳରେ ପକାଇବାକୁ ଚାହୁଁନାହାନ୍ତି  । ଦଳୀୟ ଆକାଉଣ୍ଟରେ ଏହି ଟଙ୍କା ଥିଲେବି ଖର୍ଚ୍ଚ କେବଳ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୁଏ ବୋଲି କୁହାଯାଏ  । 

ବିଜେଡ଼ି ପାଖରେ ଏବେ ଅଛି ୬୨୫ କୋଟି ଟଙ୍କା  । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା  । ଅର୍ଥାତ୍‌ ଦଳ ପାଖରେ ଆହୁରି ଗୋଟେ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଯଥେଷ୍ଟ ଟଙ୍କା ରହିଛି  । 

୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି  । ବିଜେଡ଼ି ଦଳୀୟ ପ୍ରଚାର ପାଇଁ ୨୭୭ କୋଟି ଟଙ୍କା ଖର୍ଚ୍ଚ କରିଛି  । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି  । ନିର୍ବାଚନୀ ବ୍ୟୟ ପରେ ବିଜେଡ଼ି ପାଖରେ ଆହୁରି ୬୨୫ କୋଟି ୭ ଲକ୍ଷ ଟଙ୍କା ରହିଛି  । ଦଳୀୟ ପ୍ରଚାର ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର ନିମନ୍ତେ ୨୫ କୋଟି ୪୬ ଲକ୍ଷ ଟଙ୍କ ଖର୍ଚ୍ଚ ହୋଇଛି  । 

ଗତ ଚବିଶ ନିର୍ବାଚନ ବେଳେ ଭିକେ ପାଣ୍ଡିଆନ୍‌ ୨୧୨ ଥର ହେଲିକପ୍ଟରରେ ବୁଲିଛନ୍ତି  । ୨୧୨ ସ୍ଥାନରେ ପାଣ୍ଡିଆନ୍‌ ଯାଇ ପ୍ରଚାର କରିଛନ୍ତି  । ସେ ସର୍ବାଧିକ ୧୫୭ ଥର ଏକାକୀ ନିର୍ବାଚନ ପ୍ରଚାର କରିଥିଲେ  । ତେବେ ନବୀନଙ୍କ ସହ ପାଣ୍ଡିଆନ୍‌ ୫୫ ଥର ହେଲିକପ୍ଟରରେ ଯାଇଛନ୍ତି  । ନବୀନ କିନ୍ତୁ ମାତ୍ର ୬ ଥର ହେଲିକପ୍ଟର ଓ ୫ ଥର ଏକାକୀ ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାର କରିଥିଲେ  । ସେହିପରି ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକପ୍ଟରରେ ଗସ୍ତ କରିଥିଲେ  । ହେଲିକପ୍ଟର ଓ ଏୟାର କ୍ରାଫ୍ଟ ବାବଦରେ ବିଜେଡ଼ି ନିର୍ବାଚନ ବେଳେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି  ।