ପଦ୍ମନାଭ ଜିଲ୍ଲା ବିଜେଡି ସଭାପତି

 ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେଡ଼ିକୁ ମିଳିଛି ନୂଆ ମୂଖୁଆ । ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିଧିବଦ୍ଧ ଭାବେ ଜିଲ୍ଲା ସଭାପତି ଭାବେ ଚୟନ କରିଛି ଦଳ । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଜିଲ୍ଲା ସଭାପତି ରହି ସାରିଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିବା ସହ ଦୁଇ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ  । ସୂଚନାଯୋଗ୍ୟ, ଜିଲ୍ଲା ସଭାପତି ପଦବି ପାଇଁ ହୋଇଥିବା ନିର୍ବାଚନରେ ପଦ୍ମନାଭ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ନୂତନ ସଭାପତି ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ଏଥୁସହ ଦୀର୍ଘ ୧୫ ବର୍ଷ ପରେ ପଦ୍ମନାଭ ପୁଣି ବିଧିବଦ୍ଧ ଭାବେ ଜିଲ୍ଲା ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୧୯୯୮ରେ ଦଳ ଗଠନ ପରଠାରୁ ପଦ୍ମନାଭ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ହୋଇଥିଲେ ।  ୨୦୦୯ରେ ବିବାଦୀୟ ପରିସ୍ଥିତିରେ ସେ ଜିଲ୍ଲା ରାଜନୀତିରୁ ଦୂରେଇ ଯାଇ ବୀରମହାରାଜପୁର ଆସନରୁ ନିର୍ବାଚନ ଲଢି ଲଗାତାର ତିନି ଥର ବିଧାୟକ ହୋଇଥିଲେ  । ଗତ ସାଧାରଣ ନିର୍ବାଚନରେ ତାଙ୍କୁ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖୁବାକୁ ପଡ଼ିଥିଲା  । ଜିଲ୍ଲା ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ପରୋକ୍ଷ ଭାବେ ଦଳକୁ ସେ ନିୟନ୍ତ୍ରିତ କରୁଥିବା ରାଜନୈତିକ ମହଲରେ ୨୦୧୩ରୁ ୨୦୨୪ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଥିବା ସରୋଜ କର୍ଣ୍ଣଙ୍କୁ ନିର୍ବାଚନ ଅବ୍ୟବାହିତ ପୂର୍ବରୁ ବଦଳାଇ ସାଲୁଗା ପ୍ରଧାନଙ୍କୁ ସଭାପତି କରିଥିଲା ଦଳ । ମାତ୍ର କିଛି ଦିନ ପରେ ପୁଣି ବିଧାୟକ ଅଙ୍ଗଦ କହଁର ହୋଇଥିଲେ ସଭାପତି । ନିର୍ବାଚନରେ ପରାଜୟ ପରେ ସେ ଇସ୍ତଫା ଦେବା ପରେ ପଦବି ଖାଲି ପଡ଼ିଥିଲା  । ପଦ୍ମନାଭଙ୍କ ଉପରେ ପୁଣି ଆସ୍ଥା ସ୍ଥାପନ କରିଛନ୍ତି ଦଳ ସୁପ୍ରିମୋ । ସଭାପତି ନିର୍ବାଚିତ ହେବା ପରେ ସେ କନ୍ଧମାଳ ଜିଲ୍ଲାରେ ତାଙ୍କର ଦ୍ୱିତୀୟ ପାଳି ଆରମ୍ଭକରିବାକୁ ଯାଉଛନ୍ତି ।  ତେବେ ନିର୍ବାଚନରେ ପରାଜୟ ପରେ ଏକ ପ୍ରକାର ଦିଶାହୀନ ହୋଇ ପଡିଥିବା ଜିଲ୍ଲା ବିଜେଡିରେ ପଦ୍ମନାଭ କିଭଳି ଜୀବନ୍ୟାସ କରିବେ, ତାହା ଦେଖୁବା ବାକି ରହିଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।