ରାଜ୍ୟସଭା ନିର୍ବାଚନ ଲଢ଼ିବେ ଜଗନ୍ନାଥ ପ୍ରଧାନ !
Rajyasabha Election

ଭୁବନେଶ୍ୱର : ଭୁବନେଶ୍ୱରର ଟାଣୁଆ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ବିଜେପି ବିଧାୟକଙ୍କ ମେଳରେ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଥିଲେ । କିନ୍ତୁ ପରେପରେ ଜଗାଙ୍କ ନାମାଙ୍କନ ଦାଖଲକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ । ଜଗାଙ୍କ ନାମାଙ୍କନ ପତ୍ରରେ ବିଧାୟକମାନେ ବି ପ୍ରସ୍ତାବକ ଓ ସମର୍ଥକ ରହିଛନ୍ତି । ଅର୍ଥାତ୍ ତାଙ୍କ ପ୍ରାର୍ଥୀପତ୍ର କାଏମ ରହିବା ନିଶ୍ଚିତ । ଏନେଇ ଜଗା କିନ୍ତୁ ମୁହଁ ଖୋଲିନାହାନ୍ତି । ପରେ ଜାଣିବେ ବୋଲି କହି ଗଣମାଧ୍ୟମକୁ ଏଡ଼ାଇ ଦେଇଥିଲେ । ତେବେ ବିଜେପି ଅଳିନ୍ଦରୁ ମିଳିଥିବା ସୂଚନା ଅନୁଯାୟୀ, ମମତା ମହାନ୍ତଙ୍କ ସତ୍ୟପାଠରେ କିଛି ତ୍ରୁଟି ରହିଛି । ଏପରିକି ନାମାଙ୍କନ ପତ୍ର ନାକଚ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ଆଖିଆଗରେ ରଖି ବିଜେପି ଏହି ଗୋଟି ଚଳାଇଛି । ଯଦି ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହୁଏ ତେବେ ଜଗା ହିଁ ଦଳର ପ୍ରାର୍ଥୀ ହେବେ । କିନ୍ତୁ ମମତାଙ୍କ ପ୍ରାର୍ଥୀପତ୍ର କାଏମ ରହିଲେ ଜଗା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବୋଲି ଜାଣିବାକୁ ମିଳିଛି ।