୯୦ କଲେଜକୁ ୧୦୪ କୋଟି

 ଭୁବନେଶ୍ୱର : ରାଜ୍ୟର ୯୦ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ୧୦୪ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର କରିଛନ୍ତି  । ଏହି ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଛାତ୍ରାବାସ, କଲେଜରେ ଅତିରିକ୍ତ ଶ୍ରେଣୀ ଗୃହ, କମନ ରୁମ୍, ଲାଇବ୍ରେରୀ, କମ୍ପୁ୍ୟଟର, ବହୁମୁଖୀ ହଲ ଆଦି ନିର୍ମାଣ ଓ ପୁନରୁଦ୍ଧାର କରାଯିବ  । ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କାକୁ ପର୍ଯ୍ୟାୟକ୍ରମେ ମହାବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯିବ  । ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଭାସୀ ବୈଠକରେ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  । ସୂର୍ଯ୍ୟବଂଶୀ କହିଥିଲେ ଯେ, ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରିବା ହେଉଛି ଆମର ପ୍ରାଥମିକ ଲକ୍ଷ୍ୟ  ।  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଶ୍ଚିତ ଭାବରେ ରାଜ୍ୟର ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ  ।