ସରକାରଙ୍କ ବିରୋଧରେ ଗର୍ଜିବ ବିଜେଡ଼ି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ତାର ଜବାବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି । ଆସନ୍ତା ୧୩ ତାରିଖରେ ଯାଜପୁର ଠାରେ ଏକ ବିରାଟ ମହିଳା ସମାବେଶ ଓ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।
ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପ ସଭାପତ ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ, ମହିଳାମାନଙ୍କ ସଶକ୍ତିକରଣ ପାଇଁ ନବୀନ ବାବୁ ମିଶନ ଶକ୍ତି ଆରମ୍ଭ କରିଥିଲେ । ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ଲକ୍ଷ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ । ବିଜେପି ସରକାର କ୍ଷମତାକୁ ଆସିବା ପରେ, ସେସବୁ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କି ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି । ମହିଳାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ, ଆସନ୍ତା ୧୩ରେ ଯାଜପୁର ଠାରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ପ୍ରମିଳା ସୂଚନା ଦେଇଥିଲେ ।
ସଞ୍ଜୟ ଦାସବର୍ମା କହିଥିଲେ, କୌଣସି ରାଜ୍ୟ ବା ଦେଶର ଭବିଷ୍ୟତ ନିର୍ମାଣରେ ଯୁବ ଓ ଛାତ୍ର ମାନଙ୍କର ବିକାଶ ବିନା ସମ୍ଭବ ନୁହେଁ । ରାଜ୍ୟର ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଥିଲେ ।