ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ : ଅଭିଯୁକ୍ତକୁ ୫ ବର୍ଷ ଜେଲ୍
ଭୁବନେଶ୍ୱର : ପାରାଦୀପ ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ଓ ତାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିବା ମାମଲାରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲା ବିଚାରପତି ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜ୍ୟର ନରସିଂପୁର ଜିଲ୍ଲାର କେରେଲି ଅଞ୍ଚଳର ଅମନ ରଜାକ । ଉଲ୍ଲେଖଯୋଗ୍ୟ ଯେ, ପାରାଦୀପ ଅଞ୍ଚଳର ଜଣେ ଛାତ୍ରୀ ମେଡିକାଲ ପଢିବା ଲାଗି କୋଚିଂ ନେଉଥିଲେ । ସେହି ସମୟରେ ଇନ୍ଷ୍ଟାଗ୍ରାମ ଜରିଆରେ ମଧ୍ୟପ୍ରଦେଶ ଯୁବକ ଅମନ ରଜାକ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ରଜାକ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିଲା । ଏହା ସହ ବିଭିନ୍ନ ସମୟରେ ବ୍ଲାକମେଲିଂ ମଧ୍ୟ କରୁଥିଲା । ଏ ନେଇ ଛାତ୍ରୀଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ମଧ୍ୟପ୍ରଦେଶ ଅଞ୍ଚଳରୁ ଅମନକୁ ଗିରଫ କରି ଜେଲ ପଠାଇଥିଲା । ସାଇବର ଥାନା ଇନ୍ସପେକ୍ଟର ଅବନ୍ତୀରାଣୀ ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ।