ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରଥମ : ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା । ସୂଚନାଯୋଗ୍ୟ ଯେ, ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ । ଓଡିଶା ସାମଗ୍ରୀକ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହି ସଫଳତା ହାସଲ କରିଛି । କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡିଶା ଏହି ପୁରସ୍କାର ପାଇବା ସହିତ ଏଥରକୁ ମିଶାଇ ଦୁଇ ଥର ଗୋଲ୍ଡ ମେଡାଲ ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ରାଜ୍ୟ ସରକାରଙ୍କର ୯ଟି ବିଭାଗର ୨୬ ଟି ଷ୍ଟଲ ସ୍ଥାନୀତ ହୋଇଥିଲା ।