ବିଜେଡ଼ିକୁ ନୂଆପଡ଼ା ଛନକା

ଭୁବନେଶ୍ୱର :  ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଆସନ୍ତା ସପ୍ତାହରୁ ରାଜନୀତିକ ପାଣିପାଗ ସରଗରମ ହୋଇଯିବ  । ଏହି ନିର୍ବାଚନ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପାଇଁ ସ୍ୱାଭାବିକ ଭାବେ ଆହ୍ୱାନ ସୃଷ୍ଟିକରିଛି  । ଲୋକଙ୍କ ମୁଡ଼ ସଂକ୍ରାନ୍ତରେ ଏହି ଉପନିର୍ବାଚନ ସଂକେତ ଦେବ  ।
ବିଶେଷକରି ବିଜେଡ଼ି ଓ ବିଜେପି ପାଇଁ ଏହା ଏକ ଆହ୍ୱାନ ସୃଷ୍ଟିକରିଛି  । ବିଜେପି ଗତ ନିର୍ବାଚନରେ ନୂଆପଡ଼ାରେ ତୃତୀୟ ସ୍ଥାନରେ ଥିବାବେଳେ ଏବେ ଶାସକ ଦଳରେ ରହିଛି  । ମୋହନ ସରକାରଙ୍କ ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଲୋକେ ବିଜେପି ପ୍ରତି ଆକର୍ଷିତ ହୋଇଛନ୍ତି, ଦଳର ସଂଗଠନ କେତେ ମଜବୁତ୍ ହୋଇଛି ତାହାର ପ୍ରମାଣ ମଧ୍ୟ ଆଗାମୀ ଉପନିର୍ବାଚନ ଦେବ  । ସେହିପରି ଚବିଶରେ ନୂଆପଡ଼ା ବିଜେଡ଼ି ଦଖଲରେ ଥିବାରୁ ଉପନିର୍ବାଚନରେ ବାଜିମାତ୍ କରିବା ବିଜେଡ଼ି ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ସୃଷ୍ଟିକରିଛି  ।
ନୂଆପଡ଼ାକୁ ନେଇ ଆଗକୁ ଆମେ ଅନେକ ଅନୁଶୀଳନ କରିବୁ  । ପ୍ରଥମ ପର୍ଯ୍ୟାୟରେ ବିଜେଡ଼ି ପାଇଁ କାହିଁକି ଏହା ଏକ ଚ୍ୟାଲେଞ୍ଜ ସେନେଇ ଅବତାରଣା କରୁଛୁ  । ସମ୍ପ୍ରତି ବିଜେଡ଼ିରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି  । ଗୋଟିଏ ହେଉଛି ପ୍ରୋ ପାଣ୍ଡିଆନ୍ ଓ ଅନ୍ୟଟି ହେଉଛି ଆଣ୍ଟି ପାଣ୍ଡିଆନ୍  । ଅତୀତରେ ବିଜେଡ଼ି ଯେଉଁସବୁ ଉପନିର୍ବାଚନର ସାମ୍ନା କରିଛି ସେତେବେଳେ ଦଳର ସବୁ ବରିଷ୍ଠ ନେତାମାନଙ୍କୁ କାମରେ ଲଗାଇ ଦିଆଯାଏ  । ବିଧାୟକମାନେ ପଞ୍ଚାୟତ ଜଗନ୍ତି  । ପ୍ରତି ପଞ୍ଚାୟତ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଥାଏ  । ବିଶେଷକରି କଂଗ୍ରେସ ଭୋଟ୍ ଭାଙ୍ଗି ନିଜ ଖାଳେଇରେ ବିଜେଡ଼ି ପୂରାଇଥାଏ  । ଏଥର କିନ୍ତୁ ଏହି ରଣନୀତି ସେତେଟା କାମ କରିନପାରେ  । କାହିଁକିନା ଗତ ନିର୍ବାଚନରେ ବିଜେଡ଼ି ଓ ଆଦିବାସୀ ସମାଜ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଥିଲା  । ଗତଥର ସ୍ୱାଧୀନ ଲଢ଼ିଥିବା ଘାସିରାମ ମାଝୀଙ୍କୁ ଏଥର ଦଳ ପୁଣି ପ୍ରାର୍ଥୀ କରୁଥିବାରୁ ରୋଚକ ଲଢ଼େଇ ହେବା ନିଶ୍ଚିତ  ।
ଏଥର ବିଜେଡ଼ିର ରଣନୀତି କିଏ ନିର୍ଦ୍ଧାରଣ କରିବେ ? ସ୍ୱାଭାବିକ ଭାବେ ପାଣ୍ଡିଆନ୍ ଏବେ ଦାୟିତ୍ୱରେ ଅଛନ୍ତି  । ଏମିତିବି ପ୍ରଣବ ପ୍ରକାଶ ଦାସଙ୍କୁ ଦଳରୁ କୋଣଠେସା କରି ଦିଆଯାଇଛି  । ପୂର୍ବ ଉପନିର୍ବାଚନରେ ବବି ହିଁ ସବୁ ବୁଝାଶୁଝା କରୁଥିଲେ  । ସେତେବେଳେ ପ୍ଳସ ପଏଣ୍ଟ ହେଉଛି, ଦଳ ସରକାରରେ ଥିଲା  । ଦଳରେ ଉଁ ଚୁଁ କିଛି ନଥିଲା  । ବରଂ ନେତାମାନେ ଯେଉଁ ଯେଉଁ ପଞ୍ଚାୟତ ଦାୟିତ୍ୱରେ ରହୁଥିଲେ ଦିନ ରାତି କାମ କରୁଥିଲେ  ।  କରୁଥିବା ନେତାଙ୍କୁ ପୁରସ୍କାରର ଥୋପ ବି ଦିଆଯାଉଥିଲା  । ଏବେ କିନ୍ତୁ ବିଜେଡ଼ି ନେତାଙ୍କ ମତିଗତି କଳି ହେଉନାହିଁ  । ପାଣ୍ଡିଆନଙ୍କୁ ଅକଳରେ ପକାଇବା ପାଇଁ ଦଳେ ନେତା ଚାହିଁ ବସିଛନ୍ତି  । ଏହି ଉପନିର୍ବାଚନ ହାରିଲେ ପୁଣି ପାଣ୍ଡିଆନ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଯିବେ  । ଦଳ ବି ଆଉ ବାହାନା ଦେଖାଇ ପାରିବ ନାହିଁ  । କାହିଁକିନା ଦଳ ପାଖରେ ପ୍ରଚୁର ଟଙ୍କା ଥିବାବେଳେ ଅନୁକମ୍ପା ଭୋଟ୍ ବି ବିଜେଡ଼ି ପାଇବ  । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରରୁ ହିଁ ଜଣଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇସାରିଛି  । ଏନେଇ ତାଙ୍କ ପରିବାରଙ୍କୁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୁହା ସରିଥିବା ଜାଣିବାକୁ ମିଳିଛି  ।
ଏସବୁ ଭିତରେ ଚିନ୍ତାର କାରଣ ହେଉଛି, ଯେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯିବ ସେମାନେ କେତେ ଯୋଶରେ କାମ କରିବେ  । ପାଣ୍ଡିଆନଙ୍କୁ ପାନେ ଦେବାପାଇଁ ଗୋତ୍ରମାରୁ କାମ କରିବେନି ତ ? ସେଥିପାଇଁ ପାଣ୍ଡିଆନ୍ ନିଜ ଅନୁଗତଙ୍କର ଏକ ଟିମ୍ ବନାଇଛନ୍ତି  । କେବଳ ପାଣ୍ଡିଆନ ମାର୍କା ନେତାଙ୍କୁ ହିଁ ଗୁରୁ ଦାୟିତ୍ୱ ମିଳିବ  । ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ରଙ୍କ ଭଳି କେତେକ ନେତାଙ୍କୁ ଦଳ ଗୁରୁ ଦାୟିତ୍ୱ ଦେବନାହିଁ ବୋଲି ଶୁଣିବାକୁ ମିଳୁଛି  । କାହିଁକିନା ସେମାନଙ୍କ ଉପରେ ପାଣ୍ଡିଆନଙ୍କର ଆଉ ଭରସା ପାଉନାହିଁ  । ପାଣ୍ଡିଆନ ଗୋଷ୍ଠୀଙ୍କୁ ଏବେ ବିଜେପି ପକ୍ଷରୁ ଯେତିକି ବିପଦ ନାହିଁ, ତା’ଠାରୁ ଅଧିକ ବିପଦ ବିଜେଡ଼ିର କିଛି ନେତାଙ୍କ ପକ୍ଷରୁ ହିଁ ରହିଛି  ।