ଦିନକ ପରେ ବିଧାନସଭା

 ଭୁବନେଶ୍ୱର: ଆସନ୍ତା ୧୮ରୁ  ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିରୋଧୀଙ୍କ ହାତରେ ରହିଛି ଗଦା ଗଦା ପ୍ରସଙ୍ଗ । ଆଲୋଚନା ପାଇଁ ସୁଯୋଗର ଅଭାବ । ତଥାପି ସରକାରଙ୍କୁ ଛାଡିବେ ନାହିଁ ବିରୋଧୀ । ଅପରପକ୍ଷରେ ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ସଂପାଦନ କରିବା ପାଇଁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । 
ସାର ଅଭାବରୁ ନେଇ ନାରୀ ସୁରକ୍ଷା, ରଥ ଅଘଟଣରୁ ନେଇ ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା ପର୍ଯ୍ୟନ୍ତ ମାଳ ମାଳ ପ୍ରସଙ୍ଗ ବିରୋଧୀଙ୍କ ହାତରେ ରହିଛି । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଜୋରଦାର ପ୍ରସ୍ତୁତି କରିଥିଲେ ବି ସମୟ କିନ୍ତୁ ନିଅଣ୍ଟ ପଡିବ । ଏସବୁ ସତ୍ତ୍ୱେ ବି ଗୃହ ସରଗରମ ରହିବ । 
ସୋମବାର ସର୍ବଦଳୀୟ ବୈଠକ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।  ଅଧିବେଶନ ପାଇଁ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି । ଏନେଇ ବାଚସ୍ପତି କହିଛନ୍ତିଯେ, ସମସ୍ତ ଦଳ ଅଧିବେଶନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ବିଧାନସଭା ୧୮ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବାକୁ ନିଷ୍ପତ୍ତି ହୋଇଥିଲା  । ତେବେ ୧୮ ତାରିଖ ପାରମ୍ପରିକ ଭାବେ ଗୃହରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ୧୯ରୁ ୨୫ ତାରିଖ ମଧ୍ୟରେ ୫ଟି ସରକାରୀ ଦିବସ ଏବଂ ଗୋଟିଏ ବେସରକାରୀ ଦିବସ ରହିବ । ଅଧିବେଶନରେ ବିଧି ମୁତାବକ ଗୃହ ପରିଚାଳନା ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।   
 ବିଧାନସଭା ସମ୍ମିଳନୀ କକ୍ଷରେ ଆହୂତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ । ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ  ଡ. ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୈଠକରେ ଶୃଙ୍ଖଳିତ ଅଧିବେଶନ ନେଇ ମତାମତ ରଖିଥିଲେ । ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଛନ୍ତିଯେ, ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଦଳ ପାଖରେ ଏକାଧିକ ପ୍ରସଙ୍ଗ ରହିଛି । ବିଶେଷକରି ଚାଷୀ, ମହିଳା ସୁରକ୍ଷା, ଏସସିଏସଟି, ଛାତ୍ରଛାତ୍ରୀ ପ୍ରସଙ୍ଗ ସମ୍ପର୍କିତ ଏକାଧିକ ରାଜସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୃହରେ ଉପସ୍ଥାନ ହେବ । ଆସନ୍ତାକାଲି ଅପରାହ୍ନ ୫ଟା ବେଳେ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଅଧିବେଶନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଗୃହ ପରିଚାଳନା କରିବାକୁ ଆମେ କହିବା ସହ ଗୃହ ପରିଚାଳନାରେ ସହଯୋଗ ପାଇଁ ସହମତି ଦେଲୁ ।  ଆସନ୍ତାକାଲି ଆମର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଦଳର ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ସକରାତ୍ମକ ଆଲୋଚନାକୁ ସରକାର ସ୍ୱାଗତ କରୁଛନ୍ତି ବୋଲି ଡ. ମହାଲିଙ୍ଗ କହିଛନ୍ତି ।