ଧର୍ମେନ୍ଦ୍ର-ବବି ବାକ୍‌ଯୁଦ୍ଧ

ଧର୍ମେନ୍ଦ୍ର-ବବି ବାକ୍‌ଯୁଦ୍ଧ

 ଭୁବନେଶ୍ୱର : ସମ୍ବଲପୁର ଉପରେ ଏବେ ସାରା ଓଡ଼ିଶାର ନଜର  । ରାଜ୍ୟ ରାଜନୀତିର ଦୁଇ ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଛନ୍ତି  । ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି  ।
ଯୁଜୁମରା ବ୍ଳକର ଜଣେ ରୋଗୀଙ୍କୁ ଖଟିଆରେ ବୋହିବା ଖବରକୁ ନେଇ ଧର୍ମେନ୍ଦ୍ର ବିଜେଡ଼ିକୁ କଡ଼ା ସମାଲୋଚନା କରିଥିଲେ  । ସେ କହିଥିଲେଯେ, ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଆମ୍ବୁଲାନ୍ସ ପହଁଚି ପାରୁନାହିଁ  । ଶାସକ ଦଳର କୁହାଳିଆ ନେତାମାନେ ଓଡ଼ିଶାକୁ ଏକ ନମ୍ବର କରିବାର 
ମିଛ ପ୍ରଚାର କରୁଛନ୍ତି  । ଓଡ଼ିଶାବାସୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଡବଲ ଇଞ୍ଜିନ ସରକାର ଆଣିବାକୁ ମନସ୍ଥ କଲେଣି ବୋଲି ସେ କହିଥିଲେ  । ଧର୍ମେନ୍ଦ୍ରଙ୍କୁ ପ୍ରତି ଜବାବ ଦେଇଥିଲେ ପ୍ରଣବ  । ଏକ୍ସରେ ପ୍ରଣବ ପୋଷ୍ଟ କରି ଉଲ୍ଳେଖ କରିଛନ୍ତିଯେ, ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ ୫୫ରୁ ଦୂରାବସ୍ଥା ଯୋଗୁଁ ୨ ଶହରୁ ଅଧିକ ଦୁର୍ଘଟଣାରେ ୪ ଶହରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି  । କାହା ପାଇଁ ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ  । ଏହାଠାରୁ ବଡ଼ ବିଫଳତା ଆଉ ହୋଇପାରେ ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ  । ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି  । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ରହିଛି  । ଜନସାଧାରଣ ଆପଣଙ୍କୁ ଉଚିତ୍‌ ଜବାବ ଦେବେ’ ବୋଲି ବବି ଉଲ୍ଲେଖ କରିଛନ୍ତି  ।