ବିଜେପି ନେତାଙ୍କ ପ୍ଲାନ : ୧୪୦ ନେତା ହେବେ ଥଇଥାନ

ଲଗାତାର ମାନସମନ୍ଥନ ପରେ ବୋର୍ଡ ନିଗମର ତାଲିକା ଚୂଡାନ୍ତ ହୋଇଛି । ଏହା ଉପରେ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବର ମୋହର ବାଜିବ। ତେବେ ଏବେ ବି ରାଜ୍ୟ ସଭାପତି ନେଇ ଅଙ୍କ ଅଛିଣ୍ଡା ରହିଛି । କୁହାଯାଉଛି, ଦୁଇଗୋଷ୍ଠୀ ମଙ୍ଗୁଆଳ ପଦ ପାଇଁ ଲବି କରୁଛନ୍ତି, ଯାହା କେନ୍ଦ୍ରୀୟ ନେତୃତ୍ବ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ ଦୀର୍ଘ ୮ମାସର ମାନସମନ୍ଥନ ପରେ ଚୂଡାନ୍ତ ହୋଇଛି ବିଜେପିର ବୋର୍ଡ, ନିଗମ ତାଲିକା । ପ୍ରାୟ ୩୭ଟି ଗୁରୁତ୍ବପୂର୍ଣ୍ଣ ବୋର୍ଡ, ନିଗମର ପଦବୀ ସହ ପ୍ରାୟ ଶହେରୁ ଅଧିକ ବିଭିନ୍ନ ପଦବୀ ନେଇ ଥିବା ଦ୍ୱନ୍ଦ୍ବ ଦୂର ହୋଇଛି । ବୁଧବାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଉପସ୍ଥିତିରେ ବିଜେପିର ବରିଷ୍ଠ ନେତାଙ୍କ ବୈଠକ ବସି ନେତାଙ୍କ ନାଁ ଚୂଡାନ୍ତ ହୋଇଛି । ଏବେ ଦିଲ୍ଲୀ ନେତୃତ୍ବର ମୋହର ବାଜିବା ବାକି ଅଛି । ଅନ୍ୟପଟେ ୩୭ଟି ସାଙ୍ଗଠନିକ ଜିଲ୍ଲାରୁ ୩୬ଟି ଜିଲ୍ଲା ସଭାପତି ଘୋଷଣା ହୋଇସାରିଛି । ହେଲେ ଏଯାଏଁ ରାଜ୍ୟ ସଭାପତି ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ରାଜ୍ୟ ସଭାପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସଞ୍ଜୟ ଜୟସ୍ବାଲ ଏ ଯାଏଁ ଆସିନାହାନ୍ତି । କୁହାଯାଉଛି, ବିଜେପିରେ ଦୁଇଗୋଷ୍ଠୀ ବିଜେପି ସଭାପତି ପଦ ପାଇବାକୁ ଅଡି ବସିଛନ୍ତି । ଯାହାଫଳରେ ଦୋଛକିରେ ପଡିଛନ୍ତି କେନ୍ଦ୍ରୀୟ ନେତୃତ୍ବ । ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତରେ ଆସି ଶୁକ୍ରବାର ରାଜ୍ୟ ନେତୃତ୍ବଙ୍କ ସହିତ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସଙ୍ଗଠନ ଓ ସମନ୍ବୟ ନେଇ ବି ଆଲୋଚନା ହେବ । ଏହାପରେ ରାଜ୍ୟ ବିଜେପି ସଭାପତି ଓ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଥିବା ଦ୍ବନ୍ଦ୍ବ ଦୂର ହୋଇପାରେ ।