ବଜେଟ୍ ଆରମ୍ଭରୁ ଆପ୍‌କୁ ଟାର୍ଗେଟ୍ କଲା ବିଜେପି

ଆଜି ଦିଲ୍ଲୀ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଦିଲ୍ଲୀର ନୂଆ ବିଜେପି ସରକାର । ଦିଲ୍ଲୀର ବିକାଶ ନେଇ ବଜେଟ୍ ଆସିବ ବୋଲି ଲୋକଙ୍କର ଆଶା ରହିଛି । ତେବେ ବଜେଟରେ କଣ ରହିଛି, କେଉଁ ବିଭାଗକୁ କଣ ମିଳିଲା ତାହା ଘୋଷଣା ପରେ ଜଣାପଡିବ । କିନ୍ତୁ ବଜେଟ୍ ଆରମ୍ଭରୁ ନୂଆ ସରକାର ତଥା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନାହାନ୍ତି । 

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଆମ ସରକାର ଏପରି ଏକ ବଜେଟ ଆଣିଛନ୍ତି ଯାହା ଦିଲ୍ଲୀର ଗୌରବମୟ ଇତିହାସ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସଙ୍ଗମ ହେବ । ଦିଲ୍ଲୀର ବଜେଟ୍ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ପ୍ରୟାସ ନୀତି ଉପରେ ଆଧାରିତ । କିନ୍ତୁ ଦୁଃଖଦ କଥା, ଗତ ୧୦ ବର୍ଷ ମଧ୍ୟରେ, ଦିଲ୍ଲୀ ବିକାଶର ଅନେକ ପଛକୁ ପଳାଇଛି । ଭଙ୍ଗା ରାସ୍ତା, ପ୍ରଦୂଷିତ ଯମୁନା, ବାୟୁ ପ୍ରଦୂଷଣ ଏବଂ ଖରାପ ସ୍ୱାସ୍ଥ୍ୟ ସେବା ଯୋଗୁଁ ଦିଲ୍ଲୀର ଅବସ୍ଥା ଖରାପ ।  ପୂର୍ବ ସରକାରଙ୍କ ନୀତି ଯୋଗୁଁ ଦିଲ୍ଲୀର ଲୋକମାନେ ଅସୁବିଧାରେ ପଡ଼ିଥିଲେ । ପୂର୍ବ ସରକାର ଏଠାକାର ଅର୍ଥନୀତିକୁ ଉଈ ହୁଙ୍କା ପରି ପୋଲା କରିଦେଇଛନ୍ତି । କିନ୍ତୁ ସମୟ ଆସିଛି ସବୁକିଛି ପରିବର୍ତ୍ତନ ହେବାର । ଏଥରର ବଜେଟ୍ ଐତିହାସିକ ବଜେଟ୍ ହେବ । ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି । ଏହି ବଜେଟ୍ କେବଳ ଦିଲ୍ଲୀର ସାମଗ୍ରିକ ବିକାଶ ପାଇଁ ନୂତନ ରାସ୍ତା ଖୋଲିବ ନାହିଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ସମ୍ଭାବନାକୁ ମଧ୍ୟ ସୁଦୃଢ଼ କରିବ। ଏହି ବଜେଟ୍ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଏବଂ ଭିତ୍ତିଭୂମିକୁ ଏକ ନୂତନ ପରିମାଣ ଦେବ । ସମସ୍ତ ଦିଲ୍ଲୀବାସୀ ଏହାର ଲାଭ ପାଇବେ ବୋଲି ବଜେଟ୍ ଭାଷଣରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।