ଅଶୋକଙ୍କ ବିସ୍ଫୋରଣ ‘ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦିଅ’

ଅଶୋକଙ୍କ ବିସ୍ଫୋରଣ ‘ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦିଅ’

ଭୁବନେଶ୍ୱର : ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ହେଉଛନ୍ତି ଅଶୋକ ପଣ୍ଡା  । ଅଶୋକଙ୍କ ଲିଙ୍କ୍‌ ସିଧା ଗୀତା ମେହେଟ୍ଟାଙ୍କ ସହ ଥିଲା  । ଓଡ଼ିଶା ରାଜନୀତି ଓ ବିଜେଡ଼ି ସମ୍ପର୍କରେ ଅଶୋକଙ୍କ ଠାରୁ ଅପଡେଟ୍‌ ନେଉଥିଲେ ଗୀତା  । ଯେଉଁଥିପାଇଁ ଅଶୋକଙ୍କୁ ଦଳରେ ଯିଏ ବିରୋଧ କଲେବି ତାଙ୍କୁ ବିଜେଡ଼ି ଟିକେଟ୍‌ ଦେଉଥିଲା  । ମନ୍ତ୍ରୀ ପଦ ବି ମିଳୁଥିଲା  । ଏବେ ଅଶୋକ ପଣ୍ଡାଙ୍କ ବିସ୍ଫୋରକ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି  । 
‘ଆଗଧାଡ଼ିର ନେତାମାନେ ନବୀନ ବାବୁଙ୍କ ଠାରୁ ଦୂରେଇ ଯାଆନ୍ତୁ  । ଆମ ନେତାଙ୍କୁ ଫ୍ରି ହ୍ୟାଣ୍ଡ ଦେବା ଦରକାର  । ତା’ହେଲେ ନବୀନ ବାବୁ ବଳିଷ୍ଠ ହେବା ସହ ଦଳ ବି ସୁଦୃଢ଼ ହୋଇପାରିବ  ।’ ଅଶୋକଙ୍କ ମନ୍ତବ୍ୟ ବିଜେଡ଼ିରେ ହଲଚଲ ସୃଷ୍ଟି କରିଛି  ।
ନବୀନଙ୍କୁ ବେଶୀ ପାଖରୁ ଦେଖିଛନ୍ତି ଅଶୋକ  । ଅତୀତର ନବୀନ ଓ ଏବେର ନବୀନଙ୍କ ମଧ୍ୟରେ ସେ ଫରକ ଅନୁଭବ କରୁଛନ୍ତି  । ଆଗରୁ ନବୀନ ଫ୍ରି ହ୍ୟାଣ୍ଡରେ କାମ କରୁଥିବାରୁ ଦଳ ସୁଦୃଢ଼ ହେଉଥିଲା  । କିନ୍ତୁ ଏବେ ସେ ଆଉ ଫ୍ରି ହ୍ୟାଣ୍ଡରେ କାମ କରୁନାହାନ୍ତି ବୋଲି ଅଶୋକ ଅନୁଭବ କରୁଛନ୍ତି  । ତେବେ କେଉଁ ଆଗଧାଡ଼ିର ନେତା ନବୀନଙ୍କ ଠାରୁ ଦୂରେଇ ଯିବା ଦରକାର ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି  । କିନ୍ତୁ ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଓ ସଂଜୟ ଦାସବର୍ମାଙ୍କ କାଉଣ୍ଟର ମନ୍ତବ୍ୟ ନିର୍ଦ୍ଦିଷ୍ଟ କୋଟରୀ ଆଡ଼କୁ ଅଶୋକ ଇଙ୍ଗିତ କରୁଛନ୍ତି ବୋଲି କୁହାଯାଇପାରେ  । ଭିକେ ପାଣ୍ଡିଆନ୍‌ ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁ ନନେଇ ଅଶୋକ ଏହି ବାଣ ଛାଡ଼ିଥିବା ନେଇ ଶଙ୍ଖଭବନରେ ଚର୍ଚ୍ଚା ହେଉଛି  । ଯେଉଁଥିପାଇଁ ସଂଜୟ ଦାସବର୍ମା ଆଗକୁ ଆସିବା ସହ ଏହା ଅଶୋକଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛନ୍ତି  । 
 ହୋଲି ପାଳନ ଅବସରରେ ଗଣମାଧ୍ୟମକୁ ଅଶୋକ କହିଛନ୍ତିଯେ, ବାର ଶହ ବଢେ଼ଇରେ ଦାୟ ନା ପୁଅରେ ଦାୟ  । ବିଶୁ ମହାରଣା- ଧର୍ମପଦ ଯେଭଳି ତ୍ୟାଗ କରିଛନ୍ତି ସେଭଳି ଆତ୍ମଉତ୍ସର୍ଗ ଓ ତ୍ୟାଗ ଆମମାନଙ୍କୁ କରିବାକୁ ପଡିବ  । ତା’ହେଲେ ଯାଇ ନବୀନବାବୁଙ୍କ ଆମେ ରଖିପାରିବା  । ଏହା ସାମଗ୍ରିକ ଭାବେ ଦଳର କଲ୍ୟାଣ ସହ ଦଳର କ୍ୟାଡରଙ୍କ କଲ୍ୟାଣ ମଧ୍ୟ କରିବ  । ଆମେ ଟିକେ ଦୂରେଇ ଯାଇ ଦେଖିବା ଆମ ନେତା ସେଭଳି ସୁଦୃଢ଼ ରୁହନ୍ତୁ ଓ ଆଉ ନେତୃତ୍ୱ ମଧ୍ୟ ଦିଅନ୍ତୁ  । ଆମେମାନେ ଟିକେ ଦୂରେଇଗଲେ ଭଲ ହେବ  । ଦଳରୁ କାହାକୁ ବିଦା କରାନଯାଉ  । ସମସ୍ତଙ୍କର ଭଲ ଖରାପ ଗୁଣ ଅଛି  । ଯିଏ ଥିଲେ ସେମାନେ ରୁହନ୍ତୁ  । ଯେଉଁମାନେ ଆଗଧାଡିରେ ଅଛନ୍ତି ସେମାନେ ସମସ୍ତେ ଟିକେ ଦୂରେଇ ଯିବା ଆଉ ଆମ ନେତାଙ୍କୁ ଫ୍ରି-ହ୍ୟାଣ୍ଡ ଦେବା ଦରକାର  । ତା’ହେଲେ ନବୀନବାବୁ ବଳିଷ୍ଠ ହେବେ ଓ ଦଳ ମଧ୍ୟ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି  ।