‘ଭୋଟ ଚୋରି କରି  କ୍ଷମତା ହାସଲ କରିଛି ବିଜେପି’

 ଢେଙ୍କାନାଳ:  ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଛ୍ୱିରାଜ ବିଶ୍ୱାଳଙ୍କ ସଭାପତିତ୍ୱରେ ଏବଂ ପିସିସି ମୁଖପାତ୍ର ଏବଂ ରିସର୍ଚ୍ଚ ଡାଟା ଆନାଲିସିସ ମୁଖ୍ୟ ତଥା ଡ୍ରାଫ୍ଟିଂ କମିଟି ସଦସ୍ୟ ଜଗଦାନନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ସୌନ୍ଦର୍ଯ୍ୟା ସଭା କକ୍ଷରେ ବିଜେପି ସରକାରଙ୍କର ‘ଭୋଟ ଚୋରି'କୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା  । ଗତ ୭ ତାରିଖରେ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ଏବଂ ଦେଶର ଜନନାୟକ ରାହୁଲ ଗାନ୍ଧିଙ୍କର ଐତିହାସିକ ସାମ୍ବାଦିକ ସମ୍ମିଳନୀରେ ‘ବାଙ୍ଗାଲୋର ସେଂଟ୍ରାଲ' ଲୋକସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ‘ମହାଦେବ ପୁରା' ବିଧାନସଭା କ୍ଷେତ୍ରରେ ୨୦୨୪ ରେ ୧୦୦୨୫୦ ସଂଖ୍ୟକ ଭୋଟ ଚୋରି ହୋଇଥିବା ଲୋକଲୋଚନକୁ ଆସିଅଛି  । ଏହା ସାରା ଦେଶ ଏବଂ ବିଦେଶରେ ଆଲୋଚନାର ବିଷୟବସ୍ତୁ ପାଲଟିବା ସହିତ ଭାରତର ଜନ ମାନସରେ ଗଭୀର ଆଲୋଡନ ସୃଷ୍ଟି କରିଛି  । ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ନିର୍ବାଚନ ମୋଦି ସରକାରଙ୍କ ସମୟରେ ଏକ ପ୍ରହସନ ମାତ୍ର ପାଲଟିଯାଇଛି ବୋଲି ସାମାଜିକ ଗଣମାଧ୍ୟମ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇ ଚାଲିଛି । ପିସିସି ମୁଖପାତ୍ର ପ୍ରଧାନ ପାୱାର ପଏଣ୍ଟ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ବିଶେଷ ତଥ୍ୟ ପ୍ରଦାନ ସହିତ  ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା ଏବଂ ଓଡ଼ିଶା ଆଦି ରାଜ୍ୟରେ ଗତ ୨୦୨୪ ନିର୍ବାଚନରେ ବ୍ୟାପକ ଭାବରେ ଭୋଟ ଚୋରି ହୋଇଥିବାର ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ । କଂଗ୍ରେସ ଦାବି କରିଛି ଯେ, ନିର୍ବାଚନ ଆୟୋଗ ଏହି ତଥ୍ୟକୁ ଯାଞ୍ଚ କରିବା ସହିତ ତୁରନ୍ତ ସମସ୍ତ ନିର୍ବାଚନ କ୍ଷେତ୍ରର ଡିଜିଟାଲ ରେକର୍ଡÿ ଓ ସିସିଟିଭି ଫୁଟେଜ କଂଗ୍ରେସକୁ ପ୍ରଦାନ କରୁ । ଏହା କରାନଗଲେ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଏବଂ ଧୂର୍ତତା କରି କ୍ଷମତା ହାତେଇ ନେଇଥିବା ସରକାର ବିରୁଦ୍ଧରେ ସମଗ୍ର ଦେଶରେ ଜନ ଆନେ୍ଦାଳନ କରାଯିବ । ଏପରିକି ଭବିଷ୍ୟତରେ କଂଗ୍ରେସ ସରକାରକୁ ଆସିଲେ ଠକେଇରେ ଲିପ୍ତ ଆୟୋଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାହୁଲ ଚେତାବନୀ ଦେଇଛନ୍ତି  । ଆଜିର ସମ୍ମିଳନୀରେ ବରିଷ୍ଠ ନେତା ଡାକ୍ତର ତୁଷାର କାନ୍ତି ନାୟକ, ସ୍ମିତା ରାଣୀ ସାମଲ, ବିପ୍ରବର ସାହୁ, ମହମ୍ମଦ ଏର୍ସାଦ, ନୁରୁଲ ଇସଲାମ, ଶ୍ରୀଧର ରାଉତ, ପ୍ରିୟବ୍ରତ ଗଡ଼ନାୟକ, ରୁମେନା ବେଗମ୍ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ନେତା ପ୍ରେମ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।