୩ ଘଣ୍ଟାରେ ବ୍ରହ୍ମପୁରରୁ ଜୟପୁର

highspeed corridor

୩ ଘଣ୍ଟାରେ ବ୍ରହ୍ମପୁରରୁ ଜୟପୁର

 ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବ ୨୮୭ କିମିର ହାଇସ୍ପିଡ଼ କରିଡ଼ର

ଭୁବନେଶ୍ୱର : ବ୍ରହ୍ମପୁରରୁ ଜୟପୁର ମାତ୍ର ୩ ଘଣ୍ଟା ଲାଗିବ  । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଦେଇ ୨୮୭ କିମିର ହାଇସ୍ପିଡ଼ କରିଡ଼ର କରାଯିବ  । ଯେଉଁଠି ଗାଡ଼ିଗୁଡ଼ିକ ସର୍ବାଧିକ ୧୨୦ କିମି ବେଗରେ ଯାଇପାରିବ  । ଆଜି ଏନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି  ।

ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ଏହି ହାଇ-ସ୍ପିଡ଼ କରିଡରର ଦୈର୍ଘ୍ୟ ପ୍ରାୟ ୨୮୭ କିମି ରହିବ  । ଏହି ପ୍ରଶସ୍ତ ମାର୍ଗରେ ଗାଡିଗୁଡ଼ିକ ସର୍ବାଧିକ ୧୨୦ କିଲୋମିଟର ବେଗରେ ଗତି କରିବ  । ପୂର୍ବରୁ ବ୍ରହ୍ମପୁରରୁ ଜୟପୁରକୁ ଯାତ୍ରା କରିବାକୁ ୭ ଘଣ୍ଟା ଲାଗୁଥିବା ବେଳେ, ଏହି ମାର୍ଗରେ ମାତ୍ର ୩ ଘଣ୍ଟା ଲାଗିବ  । ପାହାଡିଆ ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହି ମାର୍ଗର ୪ଟି ସ୍ଥାନରେ ଟନେଲ ନିର୍ମାଣ ନେଇ ପ୍ରସ୍ତାବ ରହିଛି  ।

ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗକୁ ନେବାରେ ଖଣି ଓ ଶିଳ୍ପର ପ୍ରମୁଖ ଭୂମିକା ରହିଛି  । ଏହାକୁ ଦୃଷ୍ଟିରେ ରଖି ଏହି ହାଇସ୍ପିଡ଼ କରିଡର ସହିତ ପ୍ରମୁଖ ସହର, ଖଣି ଓ ଶିଳ୍ପାଞ୍ଚଳର ଯୋଗାଯୋଗ ଯେପରି ସୁଦୃଢ ହୋଇପାରିବ ସେଥିନେଇ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ  । ପ୍ରସ୍ତାବିତ କରିଡର ଯେପରି କୌଣସି ପ୍ରକାରରେ ଅଭୟାରଣ୍ୟ, କ୍ଷୁଦ୍ର ଜଙ୍ଗଲ କିମ୍ବା ଜୈବବିବିଧତା ଅଞ୍ଚଳକୁ କ୍ଷତି ନପହଞ୍ଚାଏ ସେଥିପ୍ରତି ଧ୍ୟାନ ଦେଇ ଏକ ସର୍ବୋତ୍ତମ ନକ୍ସା ପ୍ରସ୍ତୁତ କରିବାକୁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ  ।

ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ସ୍ୱତନ୍ତ୍ର ଶାସନ ସଚିବ  ଦୀପକ ଦାସ,  ପ୍ରମୁଖ ଯନ୍ତ୍ରୀ (ସିଭିଲ) ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସିସି ଯୁଗ୍ମ ଉପଦେଷ୍ଟା ଜୟକୃଷ୍ଣ ଦାସ ଏବଂ ସ୍ପାର୍କର ପରିଚାଳନା ନିର୍ଦ୍ଦେଶକ ଶୁଭଦର୍ଶୀ ମିଶ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ  ।