ଫାଟିଲା ଆଟମ୍ ବମ୍

୮୦ ବର୍ଷ ତଳେ ଅର୍ଥାତ୍ ୧୯୪୫ ଜୁଲାଇ ୧୬ ତାରିଖରେ ଆମେରିକାର ନ୍ୟୁ ମେକ୍ସିକୋରେ ଥିବା ମରୁଭୂମିରେ ଏକ ପରମାଣୁ ବୋମାକୁ ପରୀକ୍ଷଣ କରାଯାଇଥିଲା । ଯାହା ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା । ଆମେରିକା ସେନା ‘ଗ୍ୟାଜେଟ୍’ ନାମକ ପରମାଣୁ ବୋମାର ପରୀକ୍ଷଣ ଆରମ୍ଭ କଲା । ଯାହାକୁ ଟ୍ରିନିଟି ଟେଷ୍ଟ୍ ବୋଲି ମଧ୍ୟ କୁହାଗଲା । ଏହି ପରୀକ୍ଷଣ ବା ବିସ୍ଫୋଟ ଦ୍ବାରା ପାଖାପାଖି ୨୧ କିଲୋଟନ୍ ଟିଏନଟିର ଉତ୍ତାପ ବାହାରିଲା , ଯାହା ଚୁଟକିରେ ୩୦ ମିଟର ଉଚ୍ଚ ଟାୱାରକୁ ଧୂଆଁରେ ପରିଣତ କରିଦେଲା । ଏହି ଉତ୍ତାପ ଆଖପାଖରେ ଥିବା ତାର ଏବଂ ବାଲିକୁ ମଧ୍ୟ ତରଳାଇ ଦେଲା । ଏହି ତରଳ ପଦାର୍ଥର ମିଶ୍ରଣରେ ଗୋଟିଏ ନୂଆ ଚଟାଣର ଆବିର୍ଭାବ ହେଲା ଯାହାକୁ ଟ୍ରିନିଟାଇଟ୍ ବୋଲି କୁହାଗଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେତେବେଳେ ମୁଣ୍ଡ ଟେକିଲା ଯେତେବେଳେ ଦଶକ ପରେ ବୈଜ୍ଞାନିକ ଟ୍ରିନିଟାଇଟରେ ଗୋଟିଏ ବିରଳ ପଦାର୍ଥର ସନ୍ଧାନ ପାଇଲେ । ଯାହାକୁ ପରମୁହୂର୍ତ୍ତରେ ‘କ୍ବାସିକ୍ରିଷ୍ଟଲ୍’ ବୋଲି କୁହାଗଲା ।
ଟ୍ରିନିଟି ଟେଷ୍ଟ୍ ପ୍ରଥମ ଷ୍ଟେଜ୍ ଥିଲା ଯେତେବେଳେ ମଣିଷ ପରମାଣୁ ବୋମାର ସଫଳ ପରୀକ୍ଷଣ କଲା । ଏହି ବିସ୍ଫୋଟ ମରୁଭୂମିର ବାଲି ସହ ଟାୱାର୍ ଏବଂ ତମ୍ବାର ତାରକୁ ମଧ୍ୟ ଏପରି ଭାବରେ ତରଳାଇ ଦେଇଥିଲା ଯେ ତାହା ଏକ ସବୁଜ ରଙ୍ଗର କାଚରେ ପରିଣତ ହୋଇଗଲା । ଯାହାକୁ ପରମୁହୂର୍ତ୍ତରେ ଟ୍ରିନିଟାଇଟର ନାଁ ଦିଆଗଲା । ଏହି ବିସ୍ଫୋଟକ ଏତେ ଭୟଙ୍କର ଥିଲା ଆଖପାଖର ସବୁ ବସ୍ତୁକୁ ଖାଇଗଲା କହିଲେ କିଛି ଭୁଲ୍ ହେବନି । ଉକ୍ତ ସ୍ଥାନରେ ଏକ ବଡ଼ ଗାତ ମଧ୍ୟ ସୃଷ୍ଟି ହେଲା । ବିନାଶର ତାଣ୍ଡବ ଖେଳାଇଥିବା ଏହି ବିସ୍ଫୋଟ ନିଜ ଭିତରେ ଅନେକ ରହସ୍ୟ ମଧ୍ୟ ଲୁଚାଇ ରଖିଦେଲା ଯାହା ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଲା । କ୍ବାସିକ୍ରିଷ୍ଟଲ୍ ଏପରି ଏକ କ୍ରିଷ୍ଟଲ୍ ପଥର ଯାହାକୁ ପ୍ରଥମେ ଅସମ୍ଭବ ବୋଲି ମନେ କରାଯାଉଥିଲା । ୧୯୮୪ ରେ ବୈଜ୍ଞାନିକ ଯେତେବେଳେ ଏହି କ୍ରିଷ୍ଟଲ୍ ଅଂଶ ପାଇଥିଲେ ସେତେବେଳେ ଏହାର ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଉଲକାପିଣ୍ଡ ଭଳି ଭୟାନକ ବିସ୍ଫୋରଣ ଏବଂ ଗରମରେ ଏହି କ୍ରିଷ୍ଟଲକୁ ବୈଜ୍ଞାନିକ ଖୋଜି ବାହାର କରିଥିଲେ । ଯାହା ପରେ ପ୍ରୟୋଗଶାଳାରେ ପରୀକ୍ଷା ପାଇଁ ଯାଇଥିଲା । ୨୦୨୧ ରେ ଲସ୍ ଏଲାମୋସ ନ୍ୟାଶନାଲ୍ ଲାବ୍ରୋଟରୀର ଭୂତତ୍ତ୍ବବିତ ଟେରି ୱାଲେସଙ୍କ ମତରେ କ୍ବାସିକ୍ରିଷ୍ଟଲ୍ କଠିନ ପରିସ୍ଥିତିରେ ହିଁ ଦେଖାଯିବାର ସମ୍ଭାବନା ଥାଏ । ଯେପରିକି ଭୟଙ୍କର ଝଟକା , ଗରମ ଏବଂ ପ୍ରେସର୍ । ଏହା ପୃଥିବୀ ପୃଷ୍ଠରେ ଦେଖାଯିବା ସାଧାରଣ ନୁହେଁ , କେବଳ ପରମାଣୁ ବିସ୍ଫୋଟକ ଭଳି ଘଟଣାରେ ହିଁ ଏହି କ୍ରିଷ୍ଟଲ୍ ଦେଖାଯାଏ । ଇଟାଲିର ଫ୍ଲୋରେନ୍ସ ବିଶ୍ବବିଦ୍ୟାଳୟର ଭୂବିଜ୍ଞାନୀ ଲୁକା ବିଣ୍ଡିଙ୍କର ଏକ ଟିମ୍ ସବୁଜ ଟ୍ରିନିଟାଇଟ୍ ବଦଳରେ ଲାଲ୍ ଟ୍ରିନିଟାଇଟର ଅଧ୍ୟୟନ ଆରମ୍ଭ କରିଥିଲା । ଏହା ତମ୍ବା ତାରର ଅବଷେଶକୁ ତରଳାଇ ଲାଲ୍ ଟ୍ରିନିଟାଇଟରେ ପରିବର୍ତ୍ତନ କରିଥିଲା ।
କ୍ୱାସିକ୍ରିଷ୍ଟାଲ୍ ସମୟ ସହିତ ଶେଷ ହୁଏ ନାହିଁ । ପରମାଣୁ ବିସ୍ଫୋରଣର ଅନ୍ୟ ଚିହ୍ନଗୁଡ଼ିକ ଅଦୃଶ୍ୟ ହୋଇଯାଏ କିନ୍ତୁ ଏହା ବୈଜ୍ଞାନିକମାନଙ୍କୁ ପୁରୁଣା ପରମାଣୁ ପରୀକ୍ଷଣ ଅଧ୍ୟୟନ କରିବାରେ ସାହାଯ୍ୟ କରିଥାଏ । ୱାଲେସ୍ କହିଛନ୍ତି ଯେ ଅନ୍ୟ ଦେଶର ପରମାଣୁ ଅସ୍ତ୍ରଗୁଡ଼ିକୁ ବୁଝିବା ପାଇଁ ସେମାନଙ୍କ ପରୀକ୍ଷଣର ସମ୍ପୂର୍ଣ୍ଣ ବିବରଣୀ ଆବଶ୍ୟକ । କ୍ୱାସିକ୍ରିଷ୍ଟାଲ୍ ଆମକୁ ନୂଆ ସୂଚନା ଦେଇପାରେ । ଏହା ପରମାଣୁ ଅସ୍ତ୍ରଶସ୍ତ୍ରର ବେଆଇନ ବ୍ୟବହାର ଉପରେ ନଜର ରଖିବାରେ ସାହାଯ୍ୟ କରିପାରେ । ବୈଜ୍ଞାନିକମାନେ ଭାବୁଛନ୍ତି ଯେ ବିଜୁଳି ଦ୍ୱାରା ତରଳି ଯାଇଥିବା ବାଲି ଏବଂ ଉଲକା ପ୍ରଭାବିତ ସ୍ଥାନରେ ମଧ୍ୟ କ୍ୱାସିକ୍ରିଷ୍ଟାଲ୍ ଥାଇପାରେ ।