୬ଷ୍ଠ ଦିନରେ ସୁଭଦ୍ରା ଶକ୍ତି ମେଳା: ୨ କୋଟି ଟପିଲା ବେପାର
ଭୁବନେଶ୍ୱର: ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଆଜି ଷଷ୍ଠ ଦିନରେ ପହଞ୍ଚôଛି । ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଛି ଏହି ମେଳା । ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଜନସମୂହଙ୍କୁ ଆକର୍ଷିତ କରୁଛି । ମେଳାର ୬ଷ୍ଠ ଦିନରେ ପରିଦର୍ଶକଙ୍କ ମଧ୍ୟରେ ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀର ଢେର ଚାହିଦା ଥିଲା । ୬ଷ୍ଠ ଦିନ ଶେଷ ସୁଦ୍ଧା, ମୋଟ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ବୁଲି ଥିବା ବେଳେ ସମୁଦାୟ ୨ କୋଟିରୁ ଅଧିକ ବିକ୍ରୟ ରେକର୍ଡ କରାଯାଇଥିଲା । ଯାହା କ୍ରେତାମାନଙ୍କ ମଧ୍ୟରେ ଏସ୍ଏଚ୍ଜିଙ୍କ ଉତ୍ପାଦଗୁଡ଼ିକର ଅଦ୍ଭୁତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଇଥିଲା । ଗଜପତି ମୋହନା ବ୍ଲକ୍ର ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଅର୍ଗାନିକ୍ ହାତଧୁଆ ସାବୁନ, ବାସନଧୁଆ ସାବୁନ ଏବଂ ଡିଟରଜେଣ୍ଟ୍ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଆଜିର ମେଳାକୁ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ବାରବାଟି-କଟକ ବିଧାୟିକା ସୋଫିଆ ଫିର୍ଦୋଷ ପରିଦର୍ଶନ କରି ଏସ୍ଏଚ୍ଜି ମା’ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନେ ବିଭିନ୍ନ ଷ୍ଟଲ୍ ବୁଲି ମେଳାରେ ପ୍ରଦର୍ଶିତ ଉତ୍ପାଦ ଓ ଏସ୍ଏଚ୍ଜିଙ୍କ କାରିଗରୀକୁ ପ୍ରଶଂସା କରିଥିଲେ । ୬ଷ୍ଠ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ଐତିହ୍ୟ ଏବଂ ସଙ୍ଗୀତର ଏକ ମିଶ୍ରଣ ଥିଲା । ଦାସକାଠିଆ ମାଧ୍ୟମରେ ଦର୍ଶକ ପାରମ୍ପରିକ ଲୋକକଥାର ଆନନ୍ଦ ଉଠାଇଥିଲେ । ପ୍ରତିଦିନ ସୁଭଦ୍ରା ଶକ୍ତି ମେଳା ୨୦୨୫ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି । ଉଦ୍ୟାପନ ପାଇଁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ସମସ୍ତ ଦର୍ଶକଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ମା' ମାନଙ୍କ ଉଦ୍ୟୋଗିତାକୁ ସମର୍ଥନ ପୂର୍ବକ ମେଳା ପରିଦର୍ଶନ କରିବାକୁ ଅନୁରୋଧ ।