ଏକକ ନିର୍ବାଚନ ବିଲ ଜେପିସି ଗଠିତ ପ୍ରିୟଙ୍କା, ସୁପ୍ରିୟା, ଭର୍ତ୍ତୃହରି ଓ ସମ୍ବିତ ସଦସ୍ୟ
ନୂଆଦିଲ୍ଲୀ: ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ର ଅଧ୍ୟୟନ କରୁଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି)ରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଭଦ୍ରା, ଏନସିପି (ଏସପି) ନେତ୍ରୀ ସୁପ୍ରିୟା ସୁଲେ ଏବଂ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ୨୧ ଜଣ ଲୋକସଭା ସାଂସଦ ଏବଂ ୧୦ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି । ସଂସଦର ପରବର୍ତ୍ତୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ଏହି କମିଟି ଏହାର ରିପୋର୍ଟ ଲୋକସଭାକୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି ।
କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବାର ଗୋଟିଏ ଦିନ ପରେ ଜେପିସିରେ ସଦସ୍ୟ ଗଠନ କରାଯାଇଛି । ବିଜେପିର ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ପ୍ରସ୍ତାବିତ ସଂଶୋଧନଗୁଡ଼ିକୁ ଅନୁଧ୍ୟାନ କରିବା ସହ ଅଂଶୀଦାରମାନଙ୍କ ସହ ପରାମର୍ଶ କରିବ ଏବଂ ବିଲ୍ ଗୁଡ଼ିକର ସମୀକ୍ଷା ପାଇଁ ୯୦ ଦିନ ସମୟ ପାଇବ । ତେବେ ଏହାକୁ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇପାରେ । ଲୋକସଭାରେ ଏକକ ବୃହତ୍ତମ ଦଳ ଶାସକ ବିଜେପି ଏହି କମିଟିର ନେତୃତ୍ୱ ନେଉଛି । ବିଲ୍ର ଅଧ୍ୟୟନ କରୁଥିବା ଜେପିସିର ସଦସ୍ୟମାନେ ହେଲେ: ପିପି ଚୌଧୁରୀ, ସିଏମ୍ ରମେଶ, ବାଂସୁରୀ ସ୍ୱରାଜ, ପୁରୁଷୋତ୍ତମଭାଇ ରୂପାଲା, ଅନୁରାଗ ଠାକୁର, ବିଷ୍ଣୁ ଦୟାଲ ରାମ, ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର, ଅନୀଲ ବାଲୁନି,ବିଷ୍ଣୁ ଦତ୍ତ ଶର୍ମା, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଷ ତିୱାରୀ, ସୁଖଦେଓ ଭଗତ, ଧର୍ମେନ୍ଦ୍ର ଯାଦବ,କଲ୍ୟାଣ ବାନାର୍ଜୀ, ଟିଏମ ସେଲଭାଗନପତି, ଜିଏମ୍ ହରିଶ ବଳଯୋଗୀ, ସୁପ୍ରିୟା ସୁଲେ, ଶ୍ରୀକାନ୍ତ ସିନେ୍ଦ, ଚନ୍ଦନ ଚୌହାନ,ବାଲାଶୋରୀ ବଲ୍ଲଭନେନି ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ।
ବିରୋଧୀ ଏହି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି ଯେ ଏହା କ୍ଷମତାର କେନ୍ଦ୍ରୀକରଣ କରିବ ଏବଂ ରାଜ୍ୟଗୁଡ଼ିକର ସ୍ୱାଧୀନତାକୁ ଉଲ୍ଲଂଘନ କରିବ । କଂଗ୍ରେସ ଏହାକୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବିଜେପିର ଷଡ଼ଯନ୍ତ୍ର ବୋଲି କହିଛି । ଏକାସାଙ୍ଗରେ ନିର୍ବାଚନ କଲେ ଖର୍ଚ୍ଚ ବଞ୍ଚିବ, ଭୋଟରଙ୍କ ଥକାପଣ ଦୂର ହେବ ଏବଂ ଶାସନ ନିରନ୍ତରତା ସୁନିଶ୍ଚିତ ହେବ ବୋଲି ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଛି । ୧୯୫୧-୫୨ରୁ ୧୯୬୭ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ ନିୟମ ଥିଲା । ତେବେ ୧୯୬୮ ଓ ୧୯୬୯ରେ କେତେକ ବିଧାନସଭା ଓ ୧୯୭୦ ଡିସେମ୍ବରରେ ଲୋକସଭା ଭଙ୍ଗ ହେବା ପରେ ଅଲଗା ଅଲଗା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ସେବେଠାରୁ ଜାରି ରହିଛି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ ପାଇଁ ସାଧାରଣ ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ଥିବା ବେଳେ ଏହା ପାରିତ ହେବା ପାଇଁ ସରକାରଙ୍କୁ ଗୃହରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ବିଜେପି ନେତୃତ୍ୱାଧୀନ ଏନ୍ଡିଏର ୨୯୩ ସାଂସଦ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିଜେପି ମେଣ୍ଟର ୨୩୪ ସାଂସଦ ଅଛନ୍ତି । ପୂର୍ଣ୍ଣ ଉପସ୍ଥିତି ସତ୍ତ୍ୱେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ଏନଡିଏ ପାଖରେ ନାହିଁ । ତେବେ ୱାଇଏସଆର କଂଗ୍ରେସ, ବିଜେଡି, ଏଆଇଏଡିଏମକେ ଭଳି ଦଳ ଯେଉଁମାନେ ଭାରତ କିମ୍ବା ଏନଡିଏ ସହ ମେଣ୍ଟ କରୁନାହାନ୍ତି, ସେମାନେ ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ କରି ବିଜେପିକୁ ଉସôାହିତ କରିଛନ୍ତି ।