ଚାଷୀଙ୍କ ଆତ୍ମହତ୍ୟା ଧମକ ପରେ ମଣ୍ଡିରୁ ଉଠିଲା ଧାନ
ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଧାନମଣ୍ଡି ବୁରୁଝୋଳା ତୋଟାରେ ଖୋଲା ଯାଇଛି । ସେଠାରେ ଖୋଳଖାଳି ପଞ୍ଚାୟତର ଚାଷୀମାନେ ଦୀର୍ଘ ୪ ଦିନ ହେଲା ଧାନ ରଖି ରାତି ଅନିଦ୍ରା ହୋଇ ଜଗି ରହିଥିଲେ ହେଁ ପ୍ରଶାସନ ଧାନ ଉଠାଉ ନଥିଲା । ଏପଟେ କଟନି ଛଟନି କରି ଧାନ ନେବା ପାଇଁ ଯୋଜନା ଚାଲିଥିଲା ବେଳେ ସେପଟେ ଚାଷୀଙ୍କ ଏକା ଜିଦ ଥିଲା ଯେ ଏଫଏକୁ୍ୟ ମାନ ଯାଞ୍ଚ କରି ଧାନ ନିଅ ନତୁବା ଆମେ ଧାନ ଦେବୁନାହିଁ । ଏହା ପରେ ଗତକାଲି ଆରଏମସି ଅଧିକାରୀ ଓ ଯାଞ୍ଚ କର୍ମଚାରୀ ପହଞ୍ଚି ଧାନର ମାନ ଯାଞ୍ଚ କରି ଏଫଏକୁ୍ୟ ମାନର ଧାନ ବୋଲି ରିପୋର୍ଟ ଦେଇଥିଲେ ହେଁ ଧାନ ଉଠି ନଥିଲା । ଏ ନେଇ ଚାଷୀମାନେ ହୋହାଲ୍ଲା କରିବା ପରେ ପୁଣି ମାନ ଯାଞ୍ଚ କରାଯିବ ବୋଲି ସୋସାଇଟି କର୍ତ୍ତୃପକ୍ଷ ବାହାନା ଦେଖାଇ ଥିଲେ । ଯାହା ଫଳରେ ୪ ଦିନ ହେଲା ଅଖିଆ ଅପିଆ ହୋଇ ଧାନ କେବେ ଉଠିବ ବୋଲି ଆତୁର ହୋଇ ବସିଥିବା ଚାଷୀ ଉତକ୍ଷିପ୍ତ ହୋଇ ଉଠିଥିଲେ । ଧାନ ଉଠାଯାଉନଥିବାରୁ ନିରାଶ ହୋଇ ଚାଷୀ ସୌମେନ୍ଦ୍ର ସ୍ୱାଇଁ ଆଜି ଧାନ ନ ଉଠିଲେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ପାଇଁ ଧମକ ଦେବା ପରେ ଏମଆଇ ଚମ୍ପାଇ ମାରାଣ୍ଡି ଓ ଆରଏମସି ଅଧିକାରୀ ପହଞ୍ଚି ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଖୋଳଖାଳି ପଞ୍ଚାୟତର କୌଣସି ଚାଷୀ କଟନି ଛଟନିକୁ ରାଜି ନହୋଇ ଏଫଏକୁ୍ୟ ମାନ ଯାଞ୍ଚ କରି ଧାନ ଉଠାଯାଇ ଠିକ୍ ଅର୍ଥ ପୈଠ କରିବା ପାଇଁ ଏକଜୁଟ ହେବା ଫଳରେ ଧାନ ଉଠା ଆରମ୍ଭ ହୋଇଥିବା ଜଣାପଡିଛି ।