ଋଣ ବୋଝ : ଜୀବନ ହାରିଲେ ଦମ୍ପତି
ବ୍ରହ୍ମବରଦା : ସହିପାରିଲେନି ଋଣ ବୋଝ । ରଶି ଲଗାଇ ଜୀବନ ହାରିଦେଲେ ଦଂପତି । ଏଭଳି ହୃଦୟ ବିଦାରକ ଘଟଣା ସୋମବାର ସକାଳେ ବ୍ରହ୍ମବରଦା ଥାନା ଅଧିନ ଅର୍ଥଙ୍ଗା ପଂଚାୟତ କୋଠାସାହି ଗ୍ରାମରେ ଘଟିଛି । ମୃତକ ଗ୍ରାମର ବିଜୟ ରାଉତ (୬୦) ଓ ପତ୍ନୀ ପଦ୍ମିନୀ (୫୮) ହୋଇଥିବା ବେଳେ ଖବର ପାଇ ବ୍ରହ୍ମବରଦା ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଟାଉନ ମେଡିକାଲକୁ ପଠାଇଛି । ଖବର ମତେ ଅର୍ଥଙ୍ଗା ପଂଚାୟତ କୋଠା ସାହି ଗ୍ରାମର ବିଜୟ ଡ଼ାଲା ଅଟୋରେ ଛୋଟ ମୋଟ ପେବାର କରି ଦୁଇ ପ୍ରାଣ ଚଳିଯାଆନ୍ତି । ବିଜୟଙ୍କ ପୁଅ ପ୍ରେମପ୍ରକାଶ ବାଙ୍ଗାଲୋରରେ ରହି କାମଧନ୍ଦା କରନ୍ତି । କିନ୍ତୁ ଆଜି ସକାଳେ ପ୍ରେମ ପ୍ରକାଶ ଘରକୁ ଫୋନ କରିଥିଲେ । ଘରେ କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ତାଙ୍କ ଘରକୁ ଯିବା ପାଇଁ କହିଥିଲେ । ସୋମନାଥ ଘରକୁ ଯାଇ ତାଙ୍କ ଠାକୁର ଘରେ ପ୍ରେମ ପ୍ରକାଶଙ୍କ ବାପା ଓ ମା ଦୁହିଁଙ୍କର ମୃତଦେହ ଘରର ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଉକ୍ତ ଘଟଣା ପ୍ରକାଶିତ ହେବା ପରେ ବ୍ରହ୍ମବରଦା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଦମ୍ପତିଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଥିଲା । ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ସାଇଂଟିଫିକ ଟିମ ସହାୟତାରେ ଅନୁସନ୍ଧାନ ଜାରିରଖିଛି । ଆତ୍ମହତ୍ୟା କରିଥିବା ମୃତ ବିଜୟଙ୍କ ଘରର କାନ୍ଥରେ ତାର ତିନି ଭଉଣୀଙ୍କୁ ତାଙ୍କ ମରଶରୀରକୁ ନ ଛୁଇଁ ଦେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିବା ସହ ସେମାନେ ମୋ ଶବ ଛୁଇଁଲେ ମୋ ଆତ୍ମା କେବେ ବି ଶାନ୍ତି ପାଇବ ନାହିଁ ବୋଲି ଏକ ଲେଖା ଦେଖିବାକୁ ମିଳିଥିଲା । ଯାହା ଦଂପତିଙ୍କ ଆତ୍ମହତ୍ୟା କରିବା ପଛରେ କିଛି କାରଣ ଛପି ରହିଥିବା ସନେ୍ଦହ କରାଯାଉଛି । କିନ୍ତୁ ଗ୍ରାମବାସୀଙ୍କ ବୟାନ ଓ ପୁଲିସ ତଦନ୍ତରୁ ଦଂପତି ଅତ୍ୟଧିକ ଋଣରେ ଚାପଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୁଲିସ ପ୍ରାଥମିକ ତଦନରୁ ଜାଣିବାକୁ ପାଇଛି । ବ୍ରହ୍ମବରଦା ପୁଲିସ ୨/୨୫ ଓ ୩/୨୫ରେ ଦୁଇଟି ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।