ରକ୍ତଦାନର ଗୁରୁତ୍ୱ ସଂପର୍କରେ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଯୁବ ଗୋଷ୍ଠୀ ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ରାଜ୍ୟପାଳ-ତଥା-ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅଧ୍ୟକ୍ଷ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଆୟୋଜିତ କାର୍ଯ୍ୟ ନିର୍ବାହୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି । ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଅବସରରେ ବର୍ଷକୁ ୨ ରୁ ୩ ଥର ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ଉସôାହିତ କରି ରକ୍ତଦାନ ଅଭିଯାନରେ ସାମିଲ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ କହିଥିଲେ । ରକ୍ତଦାନ କରି କିପରି ଅନ୍ୟର ଜୀବନ ରକ୍ଷା କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉସôାହିତ କରିବାର ଆବଶ୍ୟକତା ରହିଛି । ରକ୍ତ ଦାନ ସଂପର୍କରେ ଏବେବି ଲୋକଙ୍କ ମନରେ ଭୁଲ ଧାରଣା ରହିଛି । ବ୍ୟାପକ ସଚେତନତା ସୃଷ୍ଟି ମାଧ୍ୟମରେ ଏପରି ଭ୍ରାନ୍ତ ଧାରଣା ଦୂର କରାଯାଇ ପାରିବ ବୋଲି ରାଜ୍ୟପାଳ କହିଥିଲେ ।
ରାଜ୍ୟରେ ଥାଲାସେମିଆ ଓ ସିକିଲ୍ ସେଲ ରୋଗର ସ୍ଥିତି ସଂର୍ପକରେ ସମୀକ୍ଷା କରି ରୋଗୀମାନଙ୍କୁ ସହଜରେ ରକ୍ତ ଉପଲବ୍ଧ କରିବା ପାଇଁ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର କାର୍ଯ୍ୟାବଳୀ ପାୱାର ପଏଂଟ ପ୍ରେଜେଂଟେସନ୍ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖା ତରଫରୁ ସମୟୋଚିତ ଆର୍ଥିକ ରିପୋର୍ଟ ଦାଖଲ ପାଇଁ ସଂପୃକ୍ତ କର୍ମକର୍ତ୍ତାଙ୍କୁ ରାଜ୍ୟପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ ।