ଓଏଚ୍‌ଆର୍‌ସିରେ ବ୍ୟକ୍ତିଗତ ହାଜର ପାଇଁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର ଓକିଲଙ୍କ ଅସ୍ଥାୟୀ ବୈଠକ ଗୃହ ଭଙ୍ଗା ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ବ୍ୟକ୍ତିଗତ ଭାବେ ହାଜର ହେବେ ବିଏମ୍‌ସି କମିଶନର। ମେ’ ୨୨ରେ ହାଜର ହୋଇ ପକ୍ଷ ରଖିବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ୨୦୨୩ ଏପ୍ରିଲ ୧୧ରେ ଗୌତମନଗରସ୍ଥିତ ଓକିଲଙ୍କ ଅସ୍ଥାୟୀ ବୈଠକ ଖାନାକୁ ବିଏମ୍‌ସି ପକ୍ଷରୁ ବଳପୂର୍ବକ ଭଙ୍ଗାଯାଇଥିଲା। ଏନେଇ ତିନିଜଣ ଓକିଲ ବିଜୟ କୁମାର ପଣ୍ଡା, ଗୋଲକ ବିହାରୀ ନାୟକ ଏବଂ ଶୁଭାଶିଷ ପଣ୍ଡା ଓଏଚ୍‌ଆରସିରେ ଅଭିଯୋଗ କରିଥିଲେ। କମିଶନ ପକ୍ଷରୁ ସବୁ ପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ବିଏମ୍‌ସିର ତତ୍କାଳୀନ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ସତ୍ୟପାଠ ଏବଂ ବ୍ୟକ୍ତିଗତ ଶୁଣାଣି କରାଯାଇଥଲା। ସମ୍ପୃକ୍ତ ବୈଠକ ଖାନା ବା ଅସ୍ଥାୟୀ ଗୃହକୁ ବଳପୂର୍ବକ ଭଙ୍ଗାଯାଇଥିବାରୁ ଓକିଲଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କିମ୍ବା ୧ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବିଏମ୍‌ସି କମିଶନରଙ୍କୁ ଆଦେଶ ଦିଆଯାଇଥିଲା।

ଏହି ଆଦେଶକୁ ୪ମାସ ଭିତରେ ପାଳନ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଶତ୍ରୁଘନ ପୁଜାହାରୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ୨୦୨୪ ଜୁଲାଇ ୯ରେ ଏହି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ୮ମାସ ବିତିଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏପରିକି କମିଶନଙ୍କ ଆଦେଶକୁ ନେଇ ବିଏମ୍‌ସି ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନାହିଁ। ତେଣୁ ମାନବାଧିକାର କମିଶନଙ୍କ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦିଆଯାଇଥିଲା। ପରେ ବିଏମ୍‌ସି କମିଶନରଙ୍କ ପକ୍ଷରୁ ଓକିଲ ଜରିଆରେ ପୁନଃ ଶୁଣାଣି ପାଇଁ ଆବେଦନ ସହ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ଆବେଦନ ହୋଇଥିଲା। ମାତ୍ର ଚଳିତ ମାସ ୧୦ ତାରିଖରେ ଏହି ଆବେଦନର ଶୁଣାଣି ହୋଇ ବିଏମ୍‌ସି କମିଶନରଙ୍କ ବ୍ୟକ୍ତିଗତ ହାଜିରା ଛାଡ଼ ଆବେଦନକୁ ଖାରଜ କରାଯାଇଥିଲା। ଏଥିସହ ମେ’ ୨୨ରେ କମିଶନରଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେବା ସହ ପୁନଃଶୁଣାଣି କରାଯିବ ବୋଲି ସୂଚନା ଦିଆଯାଇଛି।