ଗଡ଼ିଲା ସୁଭଦ୍ରା ରଥ, ଜାଣନ୍ତୁ କାହିଁକି

SUBHADRA JOJANA

ଗଡ଼ିଲା ସୁଭଦ୍ରା ରଥ, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆରମ୍ଭ  ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା  । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ  । ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେଯେ, ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ୱୀକୃତି ଦେବା ହେଉଛି ଏହି ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ  । ଏହା କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ଆମ ଅସ୍ମିତାର ପରିଚୟ ହେବ  । ପ୍ରତ୍ୟେକ ମା’ ଓ ଭଉଣୀମାନଙ୍କର ମନକୁ ବୁଝି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ ଏହି ଯୋଜନା  । ଏହି ଯୋଜନାର ସୁଫଳ ସମ୍ପର୍କରେ ସମଗ୍ର ରାଜ୍ୟର ମହିଳାମାନଙ୍କୁ ସଚେତନ କରିବ ଏହି ସୁଭଦ୍ରା ରଥ  । ରାଜ୍ୟର ସମସ୍ତ ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ଏହା ହେଉଛି ଆମ ସରକାରଙ୍କ ଏକ ନିଷ୍ଠାପର ଉଦ୍ୟମ  । କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବାଦ୍‌ ନପଡନ୍ତି ତାହାକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ  ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ଯୋଗଦେଇ ସୁଭଦ୍ରା ଭଳି ଏକ ଯୁଗାନ୍ତକାରୀ ଯୋଜନା ପରିକଳ୍ପନା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  । ସେ କହିଥିଲେଯେ, ସରକାରକୁ ଆସିବାର କିଛି ସମୟ ମଧ୍ୟରେ କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନା ପାସ୍‌ ହେଲା  । ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାରେ ପରିଣତ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି  । ସୁଭଦ୍ରା ରଥ ସମସ୍ତଙ୍କୁ ଏହି ଯୋଜନା ବିଷୟରେ ସଚେତନ କରିବ  । ଶେଷ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ନହେବା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଥିଲେ  ।

ଏହି ଅବସରରେ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ସୁଭଦ୍ରା ସଚେତନତା ସଂଗୀତ ମଧ୍ୟ ଲୋକାର୍ପଣ ହୋଇଥିଲା  । କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିଲେ  ।