ଥମୁନି ଜଳକଷ୍ଟ, ବଢୁଛି ଜନଅସନ୍ତୋଷ

 ନୀଳଗିରି : ନୀଳଗିରି ଏକ ପାହାଡିଆ ଅଞ୍ଚଳ । ସ୍ୱର୍ଣଚୁଡ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ସହରଟି ଦୀର୍ଘବର୍ଷ ପୂର୍ବରୁ ଏନଏସିର ମାନ୍ୟତା ପାଇଥିବା ବେଳେ ଏଠାରେ ପାନୀୟଜଳ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି । ପ୍ରତିବର୍ଷ ଏନେଇ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଆସୁଥିଲା ମଧ୍ୟ ଏହାର କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଗ୍ରୀଷ୍ମଋତୁରେ ଅଧିକ ପାନୀୟଜଳ ସମସ୍ୟା ଦେଖାଯାଇଛି । ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ଏନଏସି ଅନ୍ତର୍ଗତ ୨ନଂ ୱାର୍ଡ ଘାଟଘର ସାହି, ୧ନଂ ୱାର୍ଡ କଦମ୍ବସାହି ଏବଂ ୬ନଂୱାର୍ଡ ମୁଖ୍ୟବଜାରରେ ଉକôଟ ପାନୀୟଜଳ ସମସ୍ୟା ଦେଖାଯାଇଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ରତନ ମାଝୀ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ତେବେ ତିନିବର୍ଷ ଧରି ଉକ୍ତ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମହୋଦୟ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ପାନୀୟଜଳ ସମସ୍ୟା ଲାଗିରହିଛି । ଏନେଇ ଯନ୍ତ୍ରୀଙ୍କ ମତାମତ ଲୋଡ଼ିବାରୁ ସେ ବାଲେଶ୍ୱରରେ ଦାୟିତ୍ୱରେ ଥିବା ଦର୍ଶାଇ ଖସିଯିବାକୁ ଚେଷ୍ଟା କରିଛନ୍ତି । ତେବେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବାଦ କରାଯାଇି ଅନ୍ୟଜଣେ ଯନ୍ତ୍ରୀଙ୍କୁ ନିଯୁକ୍ତି କରିବାକୁ ସହରାଞ୍ଚଳ ବାସୀ ଦାବୀ କରିଛନ୍ତି ।