ଲକ୍ଷେ କୋଟି ଛୁଇଁଲା ଦିଲ୍ଲୀ ବଜେଟ୍

ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ :  ଦିଲ୍ଲୀ ବଜେଟ୍ ୧ ଲକ୍ଷ କୋଟି ଛୁଇଁଛି  । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି  । ୨୬ ବର୍ଷ ପରେ ବିଜେପି ସରକାର ପ୍ରଥମ ଥର ପାଇଁ ବଜେଟ୍ ଉପସ୍ଥାପନର ସୁଯୋଗ ପାଇଛନ୍ତି  । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବଜେଟର କଳେବର ୩୧୫ ବୃଦ୍ଧି ପାଇଛି  ।  ବଜେଟ୍ରେ ପିଏମ ଜନ ଆରୋଗ୍ୟ ଯୋଜନା ପାଇଁ ୨୧୪୪ କୋଟି, ଯମୁନା ସଫା ପାଇଁ ୫ ଶହ କୋଟି, ମହିଳାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କାରର ସହାୟତା ଦେବା ପାଇଁ ୫୧ ଶହ କୋଟିର ବ୍ୟୟବରାଦ କରାଯାଇଛି  । ଅପରପକ୍ଷରେ ଦିଲ୍ଲୀ ଏନସିଆରରେ ରାସ୍ତାଘାଟର ବିକାଶ ନିମନ୍ତେ ୧ ହଜାର କୋଟି, ବସ୍ତିର ବିକାଶ ପାଇଁ ୬୯୬ କୋଟି, ୧୦୦ ଅଟଳ କ୍ୟାଣ୍ଟିନ ନିମନ୍ତେ ୧୦୦ କୋଟିର ବ୍ୟୟ ଅଟକଳ ହୋଇଛି  । ମହିଳା ସୁରକ୍ଷାକୁ ଆଖିଆଗରେ ରଖି ୫୦ ହଜାର ସିସିଟିଭି ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟ୍ ଉପସ୍ଥାପନ କାଳରେ ସୂଚନା ଦେଇଛନ୍ତି  । ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ୯ ହଜାର କୋଟିର ଆବଣ୍ଟନ କରାଯାଇଥିବାବେଳେ ପ୍ରତି ଦୁଇ ବର୍ଷରେ ଗ୍ଳୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ହେବବୋଲି ଘୋଷଣା କରିଛନ୍ତି  । ପିମଏମ୍ ଶ୍ରୀ ସ୍କୁଲ ଢାଞ୍ଚାରେ ସିଏମଶ୍ରୀ ସ୍କୁଲ ଖୋଲିବା ନିମନ୍ତେ ବଜେଟରେ ୧୦୦ କୋଟିର ପ୍ରାବଧାନ କରାଯାଇଛି  । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ୬୮୭୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି  । ଏସବୁ ଭିତରେ ଦଶମ ଶ୍ରେଣୀ ପାଶ୍ କରିଥିବା ୧୨ ଶହ ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ଲାପଟପ ଦେବେ  । ଏଥିପାଇଁ ବଜେଟ୍ରେ ସାଢ଼େ ୭ କୋଟିର ବ୍ୟୟବରାଦ ହୋଇଛି  ।