ପୂର୍ତ୍ତ ବିଭାଗ କାର୍ଯ୍ୟରେ ବ୍ୟାପକ ଅନିୟମିତତା

 ଖଇରା : ବାଲେଶ୍ୱର ଜିଲ୍ଲା ଅଧୀନ ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ପ୍ରତ୍ୟେକଟି କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ୩୭ପଞ୍ଚାୟତର ଅଧିବାସୀ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି । ବର୍ଷ ବର୍ଷ ଧରି କାମ ଚାଲିଥିଲେ ହେଁ ଯନ୍ତ୍ରୀ ଓ ଅଧିକାରୀଙ୍କ ତାଗିଦ ଅଭାବରୁ କାମ ସରିବାର ନାଁଗନ୍ଧ ଧରୁନାହିଁ । ଏବେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ପ୍ରକଳ୍ପ ନିର୍ମାଣାଧିନ ଥିବାବେଳେ ଯନ୍ତ୍ରୀମାନେ ଉପସ୍ଥିତ ରହୁନଥିବାରୁ ପ୍ରକଳ୍ପ ଗୁଡିକ ଅତ୍ୟନ୍ତ ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।  ତେଣୁ  ତୁରନ୍ତ କାର୍ଯ୍ୟଗୁଡିକ ଠିକ୍ ଢଙ୍ଗରେ କରିବା ସହ ଏବଂ ବର୍ଷାଦିନ ପୂର୍ବରୁ ଶେଷ କରିବା ନେଇ ବିଭିନ୍ନ ପଞ୍ଚାୟତବାସୀ ପକ୍ଷରୁ ଦାବି କରାଯାଇଛି ।  ଖଇରା ବ୍ଲକ ପରିସରରେ ମହିଳା ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଘରର ଆବଶ୍ୟକତା ପଡିବା ପରେ ୨୦୨୧ ମସିହାରେ ପାଖାପାଖି ୫୦ଲକ୍ଷ ଟଙ୍କା ବ୍ୟୟରେ ଏକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ହେଲେ ୪ବର୍ଷ ପରେ ମଧ୍ୟ ଘରର ୭୦ଭାଗ କାମ ସରିନାହିଁ ।  ସେହିଭଳି ରାଣିତାଲ-କୁପାରୀ ରାସ୍ତାର ବାରାହାପୁର ଠାରେ କାଂଶବାଂଶ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ ୧୪ମାସ ଧରି ଚାଲିଥିଲେ ହେଁ ଏ ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ କାମ ବାକି ରହିଛି । ଯେଉଁଥିପାଇଁ ଯାତ୍ରୀ ପୁରୁଣା ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ଯିବାକୁ ବାଧ୍ୟ ହେଉଛନ୍ତି । ଖଇରା-ସିମୁଳିଆ ୨ବ୍ଲକକୁ ସଂଯୋଗ କରୁଥିବା ସାରଡାଙ୍ଗ-ମାର୍କୋଣା ଭାୟା ଅଡା ରାସ୍ତାର କାର୍ଯ୍ୟ ଦେଢ ବର୍ଷ ପରେ ମଧ୍ୟ ସରବାର ନାଗନ୍ଧ ଧରୁନି । ଅଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ରାସ୍ତା ଓ ଡ୍ରେନ କାମ ଆଉ ଆଗକୁ ବଢୁନଥିବାରୁ ରାସ୍ତା ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ରାସ୍ତା ନିର୍ମାଣରେ ହେଉଥିବା ଅନିୟମିତତା ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ଏ ପର୍ଯ୍ୟନ୍ତ ଅଧିକାରୀମାନଙ୍କ ଦ୍ୱାରା କୌଣସି ତଦନ୍ତ ହୋଇ ପାରିନାହିଁ  । ଖଇରା ଆଦର୍ଶ ବିଦ୍ୟାଳୟ ବାଳିକା ଓ ବାଳକ ଛାତ୍ରାବାସ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଛି । ବାଳକ ଛାତ୍ରାବାସର ଛାତ ଢଳେଇ ରାତିଅଧିଆ ହେବା ନେଇ ଅଭିଯୋଗ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ତଦନ୍ତ ହୋଇନାହିଁ । ଏହାଛଡା ସୋର-କୁପାରୀ ରାସ୍ତାର ମରାମତି ବର୍ଷେ ତଳେ ହୋଇଥିବାବେଳେ ଏବେ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ହରିପୁର ନିକଟରେ କେନାଲ ଉପରେ ଚାଲିଥିବା ପୋଲରେ ପୁରୁଣା ରଡ ଓ ସିମେଣ୍ଟ ବ୍ୟବହୃତ ହେବା ନେଇ ଅଭିଯୋଗ ସତ୍ତ୍ୱେ ଏ ପର୍ଯ୍ୟନ୍ତ ଯନ୍ତ୍ରୀମାନେ ଏହାକୁ ଗୁରୁତର ଭାବେ ନେଉନଥିବାରୁ ଏବେ ଏହି ବିଭାଗର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠିଛି । ସହାକାରୀ ଯନ୍ତ୍ରୀ ସଙ୍ଗିତା ସାହୁଙ୍କୁ ପଚାରିବା ପରେ କାମ ଚାଲିବା ସମୟରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନେବା ସହଜ ହୋଇପାରନ୍ତା ବୋଲି କହିଛନ୍ତି ।