‘ବର୍ଡର-୨’ ଚଳଚ୍ଚିତ୍ର ଶୁଟିଂ ଆରମ୍ଭ

ମୁମ୍ବାଇ: ସିନେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପରଦାକୁ ଆସିବ ନବେ ଦଶକର ସୁପରହିଟ୍ ଚଳଚ୍ଚିତ୍ର ‘ବର୍ଡର’ର ଦ୍ୱିତୀୟ ଭାଗ ‘ବର୍ଡର-୨’। ଇତିମଧ୍ୟରେ ଆରମ୍ଭ ହୋଇଛି ଚଳଚ୍ଚିତ୍ରର ଶୁଟିଂ। ବାସ୍ତବତାର ରୂପରେଖ ଦେବାକୁ ଯାଇ ନିର୍ମାତାମାନେ ଝାନ୍ସିରେ ଏଥିଲାଗି ସ୍ବତନ୍ତ୍ର ସେଟ୍ ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ରରେ ପୁରୁଣା କଳାକାରଙ୍କ ସହ କେତେଜଣ ନୂଆ କଳାକାର ଏଣ୍ଟ୍ରି କରୁଛନ୍ତି। ଶୁଟିଂ ଆରମ୍ଭ ହେବା ପରେ କଳାକାରମାନେ ଖୁସିବ୍ୟକ୍ତ କରି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରୁଛନ୍ତି।
ସେଗୁଡ଼ିକ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ଚଳଚ୍ଚିତ୍ର ନେଇ ଶୁଭକାମନା ଜଣାଉଛନ୍ତି। ୧୯୯୭ରେ ରିଲିଜ ହୋଇଥିଲା ଚଳଚ୍ଚିତ୍ର ‘ବର୍ଡର’। ଏହା ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ଘଟଣାବଳୀ ଉପରେ ଆଧାରିତ ଥିଲା। ଚଳଚ୍ଚିତ୍ରରେ ସନ୍ନି ଦେଓଲ, ସୁନୀଲ ସେଟ୍ଟୀ, ଜ୍ୟାକି ଶ୍ରଫ, ଅକ୍ଷୟ ଖାନ୍ନା, ସୁଦେଶ ବୈରୀ, ପୁନୀତ ଇସ୍ସାର, କୁଲଭୂଷଣ ଖରବନ୍ଧା, ତବ୍ବୁ, ରାକ୍ଷୀ, ପୂଜା ଭଟ୍ଟ ଏବଂ ଶର୍ବାନୀ ମୁଖାର୍ଜୀ ନଜର ଆସିଥିଲେ। ହେଲେ ଦ୍ୱିତୀୟ ଭାଗରେ ସନ୍ନି ଦେଓଲଙ୍କ ବ୍ୟତୀତ କେତେଜଣ ନୂଆ କଳାକାର ଯୋଡ଼ି ହେବେ। ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ, ଦିଲଜିତ ଦୋସାଞ୍ଝ ଏବଂ ବରୁଣ ଧାଓ୍ବନ ପ୍ରମୁଖ ଭୂମିକାରେ ନଜର ଆସିବେ। ‘ବର୍ଡର-୨’କୁ ଭୂଷଣ କୁମାର, କୃଷ୍ଣ କୁମାର, ଜେ.ପି. ଦତ୍ତାଙ୍କ ସହ ଅନ୍ୟ ପ୍ରଯୋଜନା ସଂସ୍ଥା ମିଶି ନିର୍ମାଣ କରୁଛନ୍ତି। ଅନୁରାଗ ସିଂ ଏବଂ ଜେ.ପି. ଦତ୍ତା ଏହାର ନିର୍ଦ୍ଦେଶନା ଦେଉଛନ୍ତି।