ଗେଷ୍ଟ ହାଉସରୁ ଶିଳ୍ପପତିଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୯ା୪ : ଗେଷ୍ଟ ହାଉସରୁ ମିଳିଲା ଜଣେ ଶିଳ୍ପପତିଙ୍କ ଗଳିତ ମୃତଦେହ । ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ସାନ୍ତି ଗେଷ୍ଟ ହାଉସରୁ ସନେ୍ଦହଜନକ ଅବସ୍ଥାରେ ଏହି ବ୍ୟବସାୟୀଙ୍କ ଗଳିତ ମୃତଦେହ ଜବତ କରାଯାଇଛି । ମୃତକ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଲେଙ୍ଗର ସାହିର ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ୍ ଲିମିଟେଡର ମାଲିକ ବୋଲି ଜଣାପଡ଼ିଛି । ସେ ମଙ୍ଗଳବାର ଦିନ କର୍ପୋରେଟ୍ ମିଟିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଆଜି ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଛି । ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ଏହି ଶିଳ୍ପପତି ଜଣଙ୍କ ସବୁ ମାସ ପରି ଭୁବନେଶ୍ୱରରେ ଏକ କର୍ପୋରେଟ ମିଟିଂ ପାଇଁ ଆସିଥିଲେ ।
ସୂଚନାଯୋଗ୍ୟଯେ, ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ । ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ କେମିତି ଶିଳ୍ପପତିଙ୍କ ମୃତୁ୍ୟ ହେଲା, ଏହା ହତ୍ୟା ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ଅପମୃତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।