ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ବେପରୁଆ ଗାଡିଚାଳନା
୫ ଅଭିଯୁକ୍ତଙ୍କୁ ଗୋଡାଇ ଧରିଲା ସ୍ପେଶାଲ ସ୍କ୍ୱାର୍ଡ, ୩ କାର ଜବତ
ଭୁବନେଶ୍ୱର, ୧୬ା୯ : ଆଜି ଦିନରେ ଖାରବେଳନଗର ଥାନା ଅଧିନ ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତାରେ ଅଭିଯୁକ୍ତମାନେ ୪ଟି କାରରେ ରାସ୍ତାରେ ଯାଉଥିବା ବେଳେ ଫିଲ୍ମ ଷ୍ଟାଇଲରେ ବେପରୁଆ ଡ୍ରାଇଭିଂ କରି ରାସ୍ତାରେ ଆତଙ୍କ ଖେଳାଇଥିଲେ । ଯାହାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ଆସିଥିଲା କମିଶନରେଟ୍ ପୁଲିସ । ପରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଭିଡ଼ିଓରୁ ଗାଡି ନମ୍ବରକୁ ଟ୍ରାକ କରି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୩ଟି କାରକୁ ଜବତ କରାଯାଇଛି । ପରେ ସମସ୍ତଙ୍କୁ ଖାରବେଳନଗର ଥାନାକୁ ଜିମା ଦିଆଯାଇଛି । ପୁଲିସ ସମସ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ, ଏକ ମାମଲା ରୁଜୁକରି ମଙ୍ଗଳବାର ଦିନ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ନାବାଳକ ରହିଥିବା ବେଳେ, ମୁଖ୍ୟ ହେଲା, ଝାରପଡ଼ାର ଫାୟାଜ୍ ଖାନ୍ ।
ସୂଚନା ଯୋଗ୍ୟଯେ, ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବିଗ ବଜାର ଛକରୁ ସହିଦନଗର ଦିଗକୁ ବେପରୁଆ ଭାବେ ଫିଲ୍ମ ଷ୍ଟାଇଲରେ ଗାଡି ଚାଳନା କରିଥିଲେ ୫ ଜଣ ଅଭିଯୁକ୍ତ । ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଗାଡିରେ ରହିଥିଲେ । ଅଭିଯୁକ୍ତମାନେ ମୋଟ ୪ଟି କାରରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ରାଜଧାନୀରେ ଆତଙ୍କ ଖେଳାଇଥିଲେ । ଦୁଇଟି କାରରେ ଦୁଇ ଜଣ ସନରୁଫ୍ ଦେଇ ବାହାରକୁ ବାହାରିଥିଲେ ଓ ଜୋରରେ ଚିକôାର କରୁଥିଲେ । ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲା ଓ ଲୋକଙ୍କୁ ଦେଖି ପାଟି କରୁଥିଲେ । ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା । ତାହା କିଛି କ୍ଷଣ ପାଇଁ ଫୁଟ୍ ପାଥ୍ ଉପରକୁ ଚାଲିଯାଇ ପୁଣି ରାସ୍ତାକୁ ଆସି ସାପ ଭଳି ଗାଡି ଚଳାଉଥିଲେ । ଏହା ଅନ୍ୟମାନଙ୍କ ପାଇଁ ଜୀବନ ପ୍ରତି ବିପଦର କାରଣ ହୋଇଥାନ୍ତା । ସେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ନିଜ ମୋବାଇଲ ଫୋନ୍ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା । ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତା’ପରେ ତତ୍ପର ହୋଇଥିଲା କମିଶନରେଟ ପୁଲିସ । ଘଟଣାର ଖୋଳତାଡ କରି ସ୍ପେଶାଲ ସ୍କ୍ୱାର୍ଡ ଟିମ ଓ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ ଭିଡ଼ିଓ ଭାଇରାଲର ୩ ଘଣ୍ଟା ଭିତରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩ଟି ଗାଡି ଜବତ କରାଯାଇଛି ।