କ୍ୟାବିନେଟ୍ ନିଷ୍ପତ୍ତି: ସଂଶୋଧିତ ହେବ ବିଶ୍ୱବିଦ୍ୟାଳୟ ଆଇନ୍ ଓ ଶିଳ୍ପ ନୀତି, ଅତିରିକ୍ତ ବଜେଟରେ ଲାଗିଲା ମନ୍ତ୍ରୀ ପରିଷଦର ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହନର ଲାଗିଛି  । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ ଓ ଶିଳ୍ପ ନୀତି ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ନିଷ୍ପତ୍ତି ହୋଇଛି  । ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ ଉପରେ ମୋହର ଲାଗିଛି  ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ  ।କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ରେ ସଂଶୋଧନ କରାଯିବ  ।  ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ୱାୟତ୍ତତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତ୍ୱ ବଜାୟ ରଖିବା, ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡ଼େମିକ ପ୍ରଫେସନାଲମାନଙ୍କୁ ଜଡ଼ିତ କରିବା, ସିନେଟ, ଅର୍ଥ କମିଟି, ବିଲଡ଼ିଂ ଓ ନିର୍ମାଣ କମିଟି ଗଠନ ଓ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସରଳୀକରଣ ଦିଗରେ ଗୁରୁତ୍ୱାରୋପ କରାଯିବ  । ଏହାଛଡ଼ା ଜାତୀୟ ଶିକ୍ଷାନୀତିର ଅନୁପାଳନ ପାଇଁ ଆବଶ୍ୟକୀୟ ସଂଶୋଧନ କରାଯିବ  ।
ସେହିପରି ଶିଳ୍ପ ନୀତିରେ ମଧ୍ୟ ଦୁଇଟି ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଯେଉଁ ନିବେଶକମାନେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି କିନ୍ତୁ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣ ପତ୍ର ପାଇଁ ଆବେଦନ ଦାଖଲ କରିବାରେ ବିଫଳ ହୋଇଥିଲେ, କିନ୍ତୁ ୨୦୨୩ ଜୁନ୍ ୩୦ ମଧ୍ୟରେ ଦାଖଲ କରିଥିଲେବି ଅଯୋଗ୍ୟ ହୋଇଥିବେ ସେମାନଙ୍କ ଆବେଦନକୁ ପୁନଃ ବିଚାର କରାଯିବ  । ସେହିପରି ୨୦୧୮ ନଭେମ୍ବର ୧୩ରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ କରାଯାଇଥିଲା  । ଏଥିରେ ଦ୍ରବଣ ନିଷ୍କାସନ ଓ ରିଫାଇନ ତୈଳ ପ୍ରସ୍ତୁତି ଓ ପାନୀୟ ଜଳ ବିଶୋଧନ କାରଖାନାକୁ ନକରାତ୍ମକ ତାଲିକାରୁ ହଟା ଯାଇଥିଲା  । କିନ୍ତୁ ୨୦୨୦ ଅଗଷ୍ଟ ୧୮ରେ ଆଇପିଆର ୨୦୧୫ରେ ସମାନ ବ୍ୟବସ୍ଥା ହୋଇଥିଲା  । ଫଳରେ ଅସଙ୍ଗତି ଥିବାରୁ ଓଏଫପିପି ୨୦୧୬ରେ ହୋଇଥିବା ସଂଶୋଧନ ୨୦୧୮ ନଭେମ୍ବର ୧୩ରୁ ହିଁ କାର୍ଯ୍ୟକାରୀ ହେବ  । ଏହି ପ୍ରେସ୍ ବିବୃତ୍ତି ସମୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ  ଅରବିନ୍ଦ  ଅଗ୍ରୱାଲ ଉପସ୍ଥିତ ଥିଲେ  ।