ଆଜି ଆସିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ବାଦ ପଡିଥିବା ୨୫% ମହିଳାଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର: ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏଥିପାଇଁ ଖୁସ ହିତାଧିକାରୀ । ଏହା ମଧ୍ୟରେ ବଡ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାଦ ପଡିଥିବା ୨୫ ପ୍ରତିଶତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି ।
ସେ କହିଛନ୍ତି, ବିଭିନ୍ନ କାରଣରୁ ସୁଭଦ୍ରାରୁ ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଆଉ ଥରେ ଯାଞ୍ଚ ସରିଛି । ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ କାଲି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ବାଦ୍ ପଡିଥିବା ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡିଛନ୍ତି । ଆଉ ଥରେ ଏହାର ଯାଞ୍ଚ ହେବ । ସମାଧାନ ପରେ ସେମାନେ ଡିସେମ୍ବରରେ ଟଙ୍କା ପାଇବେ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆକାଉଣ୍ଟ ଓ ଆଧାର ଲିଙ୍କରେ ସମସ୍ୟା ଥିବା ୫ ଲକ୍ଷ ମିସ କେସ ସମସ୍ୟାର ସମାଧାନ ହୋଇପାରି ନାହିଁ । ସେମାନେ ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ଡିସେମ୍ବରରେ ଯୋଜନାରେ ସାମିଲ ହୋଇପାରିବେ । ସରକାରୀ ହିତାଧିକାରୀ ଘରକୁ ଘର ଯାଇ ସଚେତନ କରିବେ । ବାଦ ପଡିଥିବା ଆବେଦନକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି । ସମସ୍ତ ହକଦାରଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଗତ ସେପ୍ଟେମ୍ବର ୧୭ ତାରିଖରେ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।