ଯମୁନା ପାଣି ବିଷ

ଇତିମଧ୍ୟରେ ସେଣ୍ଟ୍ରାଲ୍ ୱାଟର୍ କମିଶନ୍ ବା କେନ୍ଦ୍ରୀୟ ଜଳ ଆୟୋଗ ଆଗ୍ରା ନିକଟରେ ଯମୁନାର ଦୁଇଟି ଘାଟ, ମଥୁରା ନିକଟରେ ଗୋଟିଏ ଘାଟରୁ ଜଳ ନମୂନା ସଂଗ୍ରହ କରିଥିଲେ । ଏହି ନମୂନା ଯାଞ୍ଚ୍ ପରେ ଦେଖାଗଲା ଯେ ମାତ୍ରାଧିକ ଭାବରେ ଭାରୀ ଧାତୁ ରହିଛି । କେନ୍ଦ୍ରୀୟ ଜଳ କମିଶନ୍ଙ୍କର "ଷ୍ଟାଟସ୍ ଅଫ୍ ଟ୍ରେସ୍ ଏଣ୍ଡ ଟକ୍ସିକ୍ ମେଟାଲ୍ସ ଇନ୍ ଇଣ୍ଡିଆନ୍ ରିଭର୍ସ୍' ନାମକ ରିପୋର୍ଟ୍ରେ ଯମୁନାର ଜଳ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି । ଏଥିରେ କ୍ରୋମିୟମ୍, ନିକେଲ୍, ଲେଡ୍, ଆଇରନ୍ ଭଳି ଭାରୀ ଧାତୁର କଣିକା ମାତ୍ରାଧିକ ପରିମାଣରେ ଅଛି । ଏହି ଜଳକୁ ପିଇଲେ ହୃଦ୍ରୋଗ, କିଡ୍ନୀ ସମସ୍ୟା ଏବଂ କର୍କଟ ଭଳି ରୋଗ ହେବାର ସମ୍ଭାବନା ରହିଛି । ଏଥିରେ ଗାଧୋଇବା ତ ଦୂରର କଥା ଜଳସେଚନ ପାଇଁ ଏହା ଅନୁପଯୁକ୍ତ । ଏହି ପାଣିକୁ ଛୁଇଁବାକୁ ମନା କରାଯାଇଛି । ଏହି ନଦୀକୂଳରେ ବିଭିନ୍ନ ସ୍ଥାନରେ ଇଲେେକ୍ଟ୍ରୋପ୍ଲେଟିଂ ୟୁନିଟ୍, ୱେଲ୍ଡିଂ, ରିଫାଇନିଂ, ମଟାଲର୍ଜିଂ, ବିଭିନ୍ନ ରାସାୟନିକ କାରଖାନା,  କୋଇଲା ବ୍ୟବହାର କରୁଥିବା ବିଭିନ୍ନ କାରଖାନା, ଫାଉଣ୍ଡ୍ରିରୁ ବାହାରୁଥିବା ବିଭିନ୍ନ ବର୍ଯ୍ୟବସ୍ତୁ ପ୍ରତ୍ୟକ୍ଷରେ ଅଥବା ପରୋକ୍ଷରେ ଯମୁନା ଜଳରେ ମିଶିଛି । ଏଥିସହିତ ଶସ୍ୟକ୍ଷେତ୍ରରେ ପ୍ରୟୋଗ କରାଯାଉଥିବା କୀଟନାଶକ ମିଶ୍ରିତ ପାଣି, ଅଳିଆଗଦାର ନର୍ଦ୍ଦମା ପାଣି, ଡ଼ିଟରଜେଣ୍ଟ୍ ଶିଳ୍ପର ପାଣି ଯମୁନା ଜଳରେ ପ୍ରତିଦିନ ମିଶୁଛି । ବର୍ତ୍ତମାନ ଏହି ପାଣି ବ୍ୟବହାର କରିଲେ ଚର୍ମ ରୋଗ, ପେଟ ରୋଗ, ଯକୃତ ଖରାପ ହେବା, ହୃତ୍ପିଣ୍ଡଜନିତ ରୋଗ ହେବା, ରୋଗ ପ୍ରତିରୋଧକ ଶକ୍ତି କମିଯିବା, ଏପରିକି ଗୁଣସୂତ୍ରରେ ସମସ୍ୟା ସୃଷ୍ଟି ହେବା ଭଳି ପରିସ୍ଥିତି ଦେଖା ଦେବାର ସମ୍ଭବାନା ରହିଛି । ଅତ୍ୟନ୍ତ ପବିତ୍ର ବୋଲି ଯମୁନା ନଦୀକୁ କୁହାଯାଉଥିଲେ ମଧ୍ୟ ଆଜିକା ଦିନରେ ଏହା ସବୁଠାରୁ ବିପଜ୍ଜନକ ନଦୀ ଭାବରେ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣ ହେଲାଣି । 
ବର୍ତ୍ତମାନ ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ଜଳରେ ରାସାୟନିକ କାରଖାନାର ବର୍ଯ୍ୟ ପାଣି ମିଶୁଥିବାରୁ ଧଳା ମେଘଖଣ୍ଡ ଭଳି ଫେଣ ଭାସୁଛି । ଗତ ଛଟ୍ ପୂଜା ସମୟରେ ଦିଲ୍ଲୀରେ ଯମୁନା ପାଣିରେ ଛଟ୍ ପୂଜା ନ କରିବା ପାଇଁ ଦିଲ୍ଲୀ ସରକାର ନିଷେଧାଦେଶ ଜାରି କରିଥିଲେ । ଯମୂନା ନଦୀ କୂଳେ କୂଳେ ରହିଥିବା ବିଭିନ୍ନ ସହରରେ ଏହାର ଜଳକୁ ବିଶୋଧନ କରି ପାନୀୟ ଜଳ ଭାବରେ ବ୍ୟବହାର କରିବାକୁ ୱାଟର୍ ୱାର୍କ୍ସ ପ୍ଲାଣ୍ଟ ବସାଯାଇଛି । କିନ୍ତୁ ଭାରୀ ଧାତୁର ଯାଞ୍ଚ୍ ପାଇଁ କିମ୍ବା ଏହାକୁ ଅଲଗା କରିବା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନଥିବାରୁ ଯମୁନା ଜଳ କେତେଦୂର ବ୍ୟବହାରଯୋଗ୍ୟ ତାହା ଉପରେ ପ୍ରଶ୍ନବାଚୀ ଉଠିଛି । 
ହିମାଳୟର ଯମୁନୋତ୍ରୀରୁ ବାହାରିଥିବା ଏବଂ ଆହ୍ଲାବାଦରେ ଗଙ୍ଗା ନଦୀ ସହିତ ମିଶିଥିବା ଯମୁନା ଧାର୍ମକ ଦୃଷ୍ଟିକୋଣରୁ ଯେତେ ପବିତ୍ର ହେଲେ ମଧ୍ୟ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହା ମନୁଷ୍ୟ ଏଂ ପ୍ରାଣୀଜଗତ ପାଇଁ ବିଷରେ ପରିଣତ ହୋଇ ସାରିଲାଣି । କୃଷି ଉଦେ୍ଦଶ୍ୟରେ ଜଳସେଚନ ପାଇଁ ଏହାର ପାଣି ଅନୁପଯୁକ୍ତ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ମତ ଦେବା ପରେ ଏବେ ଏହି ପବିତ୍ର ନଦୀ ବିଷରେ ପରିଣତ ହୋଇଯିବା ଏବଂ ଏଥିରେ ଗାଧୋଇବା ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହେବା ଏକ ଗୁରୁତର ପ୍ରସଙ୍ଗ । ଗଙ୍ଗା ସହିତ ମିଶିବା ପରେ ଗଙ୍ଗାନଦୀର ଜଳକୁ ମଧ୍ୟ ଏହା ଦୂଷିତ କରିଦେବାର ବହୁ ସମ୍ଭାବନା ରହିଛି । ତେଣୁ ଗଙ୍ଗା ନଦୀର ବିଭିନ୍ନ ସ୍ଥାନରେ ରହିଥିବା ସହର ଗୁଡ଼ିକରେ ଏହାର ଜଳର ମାନ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି । ଯମୁନା ଏବଂ ଗଙ୍ଗା ଧାର୍ମିକ ଦୃଷ୍ଟିକୋଣରୁ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ପ୍ରଦୂଷଣ କାରଣକୁ ନେଇ ଏହାର ଜଳ ଫସଲଯୋଗ୍ୟ ନ ହେବା ଅତ୍ୟନ୍ତ ଗୁରୁତର ଘଟଣା ।