୧୧୫୧ କୋଟିର ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ : ରାଜନୀତିରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରନ୍ତୁ ଜନପ୍ରତିନିଧି: ମୁଖ୍ୟମନ୍ତ୍ରୀ


ାା ପ୍ରଭାନୁ୍ୟଜାା ଭୁବନେଶ୍ୱର: ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନଙ୍କୁ ସ୍ୱାୟତ୍ତ ଶାସନ ମାଧ୍ୟମରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଶାସନଗତ ବ୍ୟବସ୍ଥା ରହିଛି । ଏହି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସ୍ୱାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଲର୍ଡ ରିପନଙ୍କ ସମୟରୁ ଆରମ୍ଭ ହୋଇଥିଲା । ପଞ୍ଚାୟତିରାଜ ଓ ସହରାଞ୍ଚଳରେ କାର୍ଯ୍ୟରତ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର କାର୍ଯ୍ୟଭାର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନିଜ କାନ୍ଧରେ ଉଠାଇବାକୁ ପଡିବ । ଏ ସରକାର ହେଉଛି ଲୋକଙ୍କ ସରକାର, ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧି ଭାବେ ନିର୍ବାଚିତ ସମସ୍ତ କାଉନ୍ସିଲର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ଆଶା ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍  । ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ ପାଇଁ ଏ ଦିଗରେ ସମସ୍ତ ସ୍ୱାୟତ୍ତଶାସନ ସଂସ୍ଥାର ଅଧିକାରୀ ତଥା ଜନପ୍ରତିନିଧିମାନେ ନିଜ ନିଜର ଦାୟିତ୍ୱ ତୁଲାଇବା ଉଚିତ୍  । ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଓ ପୌରପାଳିକାଗୁଡିକୁ ସଶକ୍ତ ଓ ସ୍ୱାଧୀନ ହୋଇ ନିଜ ନିଜ ପରିଧିରେ ବିଭିନ୍ନ ସହରାଞ୍ଚଳର ଭିତ୍ତିଭୂମି ସମ୍ପର୍କିତ ଯୋଜନା ଓ ସେବା ପ୍ରଦାନ ପାଇଁ କାର୍ଯ୍ୟ କରିବାକୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି  । ଭାରତ ସରକାରଙ୍କ ସହଯୋଗରେ ନାଗରିକ ତଥା ବୈଷୟିକ ସେବା ଯୋଗାଣକାରୀ ବ୍ୟକ୍ତିଙ୍କ ପାଇଁ ଏକ ସରଳ ହ୍ୟାଣ୍ଡ ବୁକ୍ ଓ ଟୁଲ୍କିଟ୍ ପ୍ରସ୍ତୁତି କରାଯାଉଛି  । ଏହା ସେମାନଙ୍କୁ ମାଷ୍ଟର ପ୍ଲାନ, ବିଲ୍ଡିଙ୍ଗ୍ ପ୍ଲାନ ଓ ଲେ-ଆଉଟ୍ ଅନୁମୋଦନକୁ ସମୟୋଚିତ ସମ୍ପାଦନ କ୍ଷେତ୍ରରେ ସହାୟତା କରିବ  । ସେ କହିଥିଲେଯେ, ଆଜି ସମଗ୍ର ବିଶ୍ୱରେ ସହରୀକରଣ ବୃଦ୍ଧି ପାଉଛି  । ଗ୍ରାମାଞ୍ଚଳରୁ ଅନେକ ଲୋକ ସୁଖ ସ୍ୱାଚ୍ଛନ୍ଦ୍ୟର ସୁନେଲି ସ୍ୱପ୍ନ ଓ ଅଧିକ ରୋଜଗାର ପାଇବା ଆଶାରେ ସହର ମୁହାଁ ହେଉଛନ୍ତି  । କିନ୍ତୁ ବାସ୍ତବରେ ସେମାନେ ସହରରେ ଏସବୁ ପାଇନଥାନ୍ତି  । ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜଧାନୀ ଭୁବନେଶ୍ୱର ୧୯୪୮ ମସିହାରେ ମାତ୍ର ୧୦ ହଜାର ଜନସଂଖ୍ୟା ପାଇଁ ଯୋଜନା କରାଯାଇଥିଲା  । କିନ୍ତୁ ଆଜି ଏଠାରେ ୧୫ରୁ ୨୦ ଲକ୍ଷ ଲୋକ ବସବାସ କରୁଛନ୍ତି  । ଆଜି ଦିନରେ ଆମ ଭୁବନେଶ୍ୱର ଅର୍ଥନୀତିର ଅଭିବୃଦ୍ଧି ଘଟିଛି, ଆଧୁନିକତା ବଢିଛି, ଭାରତବର୍ଷରେ ଭୁବନେଶ୍ୱର ନାମି ସହର ଭାବେ ନାମ କମାଇଛି  । କିନ୍ତୁ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ସମସ୍ୟା ରହିଛି । ଆଗାମୀ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ସବୁ ସହରାଞ୍ଚଳର ବିକାଶ ପାଇଁ ଆମ ସରକାର ସଚେତନ ଅଛନ୍ତି । ଆଗାମୀ ଦିନରେ ଆମ ସହରଗୁଡିକର ଅବସ୍ଥାରେ ପରିବର୍ତ୍ତନ ଆସିବ, ବିକଶିତ ହେବ ଏବଂ ସ୍ମାର୍ଟ ହେବ ବୋଲି ସେ କହିଥିଲେ  । ଏଥିସହିତ ଆଜି ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଆମକୁ ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ବିକଶିତ ଓଡିଶା ନିର୍ମାଣର ଲକ୍ଷ୍ୟ ରଖିଛୁ  । ଏଥିନିମନ୍ତେ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ବିକାଶକୁ ଗୁରୁତ୍ୱ ଦେଇ ବଜେଟରେ ଅଧିକ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛୁ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ, ପୌରପାଳିକା ଗୁଡିକରେ ଭାରତ ସରକାରଙ୍କ ପକ୍ଷରୁ ‘ଜଳ ଜୀବନ ମିଶନ’ ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି  । ଜଳ ଯୋଗାଣ ପରିଚାଳନାରେ ଆମ ଜଳସାଥୀମାନେ ଦକ୍ଷତାର ସହ କାମ କରୁଛନ୍ତି  ।  କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ୫ଟି ମହାନଗର ନିଗମ ସହିତ ୧୧୫ଟି ସ୍ୱାୟତ୍ତଶାସନ ସଂସ୍ଥାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି  । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଓ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି । କାର୍ଯ୍ୟକ୍ରମରେ କୋଭିଡ୍ ସମୟରୁ ଉଠାଦୋକାନୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ହିତାଧିକାରୀ ଏବଂ ଅଂଶୀଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଟକ ମହାନଗର ନିଗମର ପରିମଳ କର୍ମଚାରୀ ଝୁନୁଲତା ନାୟକ ଓ ଡି. ଶିବା, ଭୁବନେଶ୍ୱର ମହାନଗର ନିଗମର ବାବୁଲି ନାହାକଙ୍କୁ ସମ୍ମାନିତ କରାଯାଇଥିଲା  ।
କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସ୍ୱଚ୍ଛ ଭାରତ ମିଶନର ମିଶନ ନିଦେ୍ର୍ଦଶକ ରାଜେଶ ପ୍ରଭାକର ପାଟିଲ ଏବଂ ପୌରପ୍ରଶାସନ ନିଦେ୍ର୍ଦଶକ ଦେବାଶିଷ ସିଂ ଉପସ୍ଥିତ ଥିଲେ । ଆଜିର ଏହି ସମାରୋହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢି ସ୍ୱାଗତ ଭାଷଣ ଦେଇଥିଲେ ।