କୋଲଣଗିରି ପଞ୍ଚାୟତରେ ଜାଲିଆତି, ଶୁଣିଲାନି ପ୍ରଶାସନ; ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କଲେ ସମିତିସଭ୍ୟ
ାା ପ୍ରଭାନୁ୍ୟଜ ।ା ବାଲିକୁଦା: ‘ଆମ ଓଡିଶା ନବୀନ ଓଡିଶା’ଓ କ୍ରିଟିକାଲ ଗ୍ୟାପ ଫଣ୍ଡରେ ହୋଇଛି ଜାଲିଆତି । ବ୍ଲକ ପ୍ରଶାସନ ଚିହ୍ନଟ କରିଥିବା ସ୍ଥାନରେ ପ୍ରକଳ୍ପ ନିର୍ମାଣ ହୋଇନଥିବା ଏବଂ ଏହାକୁ ନେଇ ଅଭିଯୋଗ ପରେ ବ୍ଲକ ପ୍ରଶାସନ କିଛି ନଶୁଣିବାରୁ ଶେଷରେ ବାଧ୍ୟ ହୋଇ ବଡଚଣା ବ୍ଲକ କୋଲଣଗିରି ପଞ୍ଚାୟତ ସମିତିସଭ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମିତିସଭ୍ୟ ନିରଞ୍ଜନ ମହାନ୍ତିଙ୍କ ଅଭିଯୋଗ ମତେ ୨୦୧୦ ମସିହାରେ ସାଂସଦ ପାଣ୍ଠି ୧ ଲକ୍ଷ ୫୦ ହଜାର ଟଙ୍କାରେ ନାନକାର ଗୋଲା ସାହି କୋଠଘର ଓ ୨୦୧୪ ମସିହାରେ ବିଧାୟକ ପାଣ୍ଠିରୁ୧ଲକ୍ଷ ଟଙ୍କା ବ୍ୟୟରେ ଲକ୍ଷ୍ମୀନାରାୟଣ କୋଠଘର ନିର୍ମାଣ ହୋଇଛି । ଏହି ୨ଟି ଯୋଜନାରେ ନିର୍ମିତ କୋଠଘର ପାଇଁ ୧ଡିସିମିଲ ଜମି (ଖାତା ନଂ-୧୩୨,ପ୍ଳଟ ନଂ-୩୯୨୭) ୨୦୧୦ମସିହାରେ ବିଡିଓ ବଡଚଣାଙ୍କ ନାମରେରେ ପଞ୍ଜିକୃତ କରାଯାଇଛି । କିନ୍ତୁ ବର୍ତ୍ତମାନ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗୋଲା ସାହି କୋଠଘର ଏହି ୧ ଡିସିମିଲ ଜମିରେ ନିର୍ମାଣ ହୋଇଛି ବୋଲି ବ୍ଲକ ପ୍ରଶାସନ ଦର୍ଶାଉଛି । ଏହି ୧ ଡିସିମିଲ ଜମିରେ ୨ଟି କୋଠ ଘର ନିର୍ମାଣ ସରିଥିବା ବେଳେ ପୁଣି ସେହି ସମାନ ସ୍ଥାନରେ ଆମ ଓଡିଶା ନବୀନ ଓଡିଶାରେ କୋଠଘର ନିର୍ମାଣ କେମିତି ହେଲା ବୋଲି ସମତିସଭ୍ୟ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଏହି ଗ୍ରାମରେ ଚଳିତ ବର୍ଷରେ କ୍ରିଟିକାଲ ଗ୍ୟାପ ଫଣ୍ଡରେ ୨ଲକ୍ଷ ଟଙ୍କା ବ୍ୟୟ ବରାଦରେ ଲକ୍ଷ୍ମୀନାରାୟଣ କୋଠଘର ନିର୍ମାଣ କରାଯାଇଛି । ୨୦୧୪ମସିହାରେ ୧ଡିସିମିଲ ଜମି (ଖାତା ନଂ-୧୩୧,ପ୍ଳଟ ନଂ-୩୨୮୦) ବିଡିଓ ଙ୍କ ନାମରେ ପଞ୍ଜିକୃତ ହୋଇଥିବା ଜମିରେ ନିର୍ମାଣ କରାଯାଇଛି ବୋଲି ବ୍ଲକ ପ୍ରଶାସନ ଦର୍ଶାଇଛି । କିନ୍ତୁ ବ୍ଲକ ପ୍ରଶାସନ ଦର୍ଶାଇଥିବା ସ୍ଥାନରେ ନିର୍ମାଣ ହୋଇନି ବୋଲି ସମିତିସଭ୍ୟ ଅଭିଯୋଗ ଆଣିଛନ୍ତି । ଏହି ଜାଲିଆତି ସମ୍ପର୍କରେ ସମିତିସଭ୍ୟ ତା୨୬/୯/୨୦୨୪ ତାରିଖରେ ବିଡିଓ ବଡଚଣା ଓ ତା୩୦/୯/୨୦୨୪ ତାରିଖରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ଉପରେ ତଦନ୍ତ କରାଗଲାନି । ଓଲଟି ବ୍ଲକ ପ୍ରଶାସନ କୋଠଘର ନିର୍ମାଣ ବିଲ୍ ପଇଠ ପାଇଁ ମସୁଧା ଚଳାଇଛି ବୋଲି ସମିତିସଭ୍ୟ ଅଭିଯୋଗ ଆଣିଛନ୍ତି । ଦେଖିବାର ଅଛି ସମିତିସଭ୍ୟଙ୍କ ଅଭିଯୋଗର ତଦନ୍ତ ହେଉଛି କି ନାହିଁ ।