ଭୁବନେଶ୍ୱରରୁ ଗାଁ ଯାଏଁ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’
ଭୁବନେଶ୍ୱର: ସଂଗଠନକୁ ଚଳଚଞ୍ଚଳ କରିବା ପାଇଁ ଗୋଟିକ ପରେ ଗୋଟିଏ ନିଆରା ପଦକ୍ଷେପ ନେଉଛି ରାଜ୍ୟ କଂଗ୍ରେସ । ଏହିକ୍ରମରେ ଆସନ୍ତା ୨୮ରେ ରାଜ୍ୟ କଂଗ୍ରେସ ପାଳିବ ସମ୍ବିଧାନ ବଞ୍ଚାଅ ଦିବସ । ଜାତିଗତ ଜନଗଣନା ଏବଂ ଓବିସି ବର୍ଗଙ୍କ ନାଯ୍ୟ ଅଧିକାର ପାଇଁ ଦଳ ଗାଁକୁ ଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ କହିଛନ୍ତି ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ କହିଥିଲେଯେ, ରାଜ୍ୟରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ରାଜଧାନୀରୁ ନେଇ ଗାଁ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ । ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବିଜେପିର କମ୍ପାନୀ ପ୍ରୀତି ପାଇଁ ସାଧାରଣ ଆଦିବାସୀଙ୍କର ଭିଟାମାଟି ଏବଂ ଜଙ୍ଗଲ, ଜଳ, ଜମି ହଡ଼ପ କରିବାପାଇଁ କରାଯାଉଥିବା ଚକ୍ରାନ୍ତ ବିରୁଦ୍ଧରେ ରାଜ୍ୟ କଂଗ୍ରେସ ଜୋରଦାର ଆନେ୍ଦାଳନ କରିବ ।
ଓଡ଼ିଶା ଜଙ୍ଗଲ ଆଇନ ଅନୁସାରେ ଆଦିବାସୀମାନଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ତାଙ୍କର ଜମି ହଡ଼ପ କରିବା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର କମିବାର ନାଁ ଧରୁନାହିଁ । ଏଥିପାଇଁ ରାଜ୍ୟ ବିଜେପି ସରକାରର ଉଦାସୀନତା ହିଁ ଦାୟୀ ବୋଲି ଶ୍ରୀ ଦାସ କହିଛନ୍ତି ।
ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ କହିଥିଲେଯେ, ଆସନ୍ତା ଅପ୍ରେଲ ୨୮ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯିବା ସହିତ ଆସନ୍ତା ମେ ୩ରୁ ୧୦ ଯାଏଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କରାଯିବ । ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏ କାର୍ଯ୍ୟକ୍ରମ ପାଳନ କରାଯିବ । ଏହାଛଡ଼ା ମେ’ ୨୦ରୁ ୩୦ ଯାଏଁ କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ଗାଁର ଘରକୁ ଘର ଯାଇ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିବା ସହିତ ଲୋକଙ୍କ ପାଖକୁ ଯାଇ ତାଙ୍କର ନାଯ୍ୟ ଦାବି ଏବଂ ଅଧିକାର ସମ୍ପର୍କରେ ସଚେତନ କରାଇବେ । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେଯେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଆଦିବାସୀମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ । ପେସା ଆଇନ ଦେଶର ଅନେକ ରାଜ୍ୟରେ ଲାଗୁ ହୋଇସାରିଥିଲେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ଜାଣିଶୁଣି ଏ ଆଇନକୁ ଲାଗୁ କରୁନାହିଁ ବୋଲି ସେ କହିଥିଲେ ।