ବଡସାହି କଲେଜର  ନୈରାଶ୍ୟଜନକ ଫଳାଫଳ 

 ବଡ଼ସାହି : ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବଡ଼ସାହି ବ୍ଲକର କୌଣସି କଲେଜରୁ ସେପରି ଆଶାଜନକ ଫଳାଫଳ ହୋଇ ନଥିବା ଜଣାଯାଇଛି । ସର୍ବପୁରାତନ କଲେଜ୍ ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ଫଳାଫଳ ସବୁଠାରୁ ଅଧିକ ନୈରାଶ୍ୟଜନକ ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି । ଉକ୍ତ କଲେଜର ଯୁକ୍ତ ୨ ବିଜ୍ଞାନ ବିଭାଗରେ ୨୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୧୩ଜଣ ଫେଲ ହୋଇଥିବା ଜଣାଯାଇଛି । ପାସ୍ କରିଥିବା ୧୫ଜଣ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨, ଦ୍ୱିତୀୟ ଶ୍ରେଣୀରେ ୧୦ ଓ ତୃତୀୟ ଶ୍ରେଣୀରେ ୩ଜଣ ସ୍ଥାନିତ ହୋଇଛନ୍ତି । ଛାତ୍ର ବାସୁ ହାଁସଦା ସର୍ବାଧିକ ୪୧୦ ନମ୍ୱର ରଖି ବିଜ୍ଞାନରେ ଟପ୍ପର ହୋଇଥିବା ଜଣାଯାଇଛି । ସେହିପରି ବାଣିଜ୍ୟ ବିଭାଗରେ ୩୯ ପରୀକ୍ଷାର୍ଥୀ ମଧ୍ୟରୁ ୧୮ ପାସ୍ କରିଥିବା ବେଳେ ୨୧ ଜଣ ଫେଲ୍ ହୋଇଛନ୍ତି । ଏଥିରେ ପ୍ରଥମରେ ୩ ଦ୍ୱିତୀୟରେ ୧ ଓ ତୃତୀୟରେ ୧୪ ଜଣ ରହିଥିବା ବେଳେ ଗୌରମୋହନ ସିଂ ସର୍ବାଧିକ ୪୨୪ ନମ୍ୱର ରଖି କଲେଜରେ ଟପ୍ପର ହୋଇଥିବା ଜଣାପଡିଛି । କଳା ବିଭାଗରେ ୨୩୬ ଜଣ ମଧ୍ୟରୁ ୨୭ ଜଣ ପ୍ରଥମ ଶ୍ରେଣୀ, ୩୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୧୦ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୧ ଜଣ ଫେଲ୍ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିରେ ପ୍ରଶାନ୍ତ କୁମାର ବାରିକ ସର୍ବାଧିକ ୪୨୯ ନମ୍ବର ରଖି ବଡ଼ସାହି କଲେଜରେ ଟପ୍ପର ହୋଇଥିବା କଲେଜ୍ ସୂତ୍ରରୁ ଜଣାଯାଇଛି ।ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ବଡ଼ସାହି କଲେଜରେ ଅଧ୍ୟାପନା କ୍ଷେତ୍ରରେ ଦୁର୍ବଳତା ଯୋଗୁଁ ପରୀକ୍ଷା ଫଳାଫଳ ଅତ୍ୟନ୍ତ ନୈରାଶ୍ୟ ଜନକ ବୋଲି ସାଧାରଣରେ ଆଲୋଚନା ହେଉଛି ।