ସମସ୍ୟା ଘେରରେ ଶ୍ରୀ ଜଗନ୍ନାଥ କଲେଜ
ନାଉଗାଁ : ନାଉଗାଁ ବ୍ଲକ୍ ସ୍ଥିତ ଶ୍ରୀ ଜଗନ୍ନାଥ କଲେଜ ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏଠାରେ ଉଚ୍ଚଶିକ୍ଷା ଅଧ୍ୟୟନ ନିମନ୍ତେ ଦୀର୍ଘଦିନ ହେବ ଲାଗି ରହିଛି ବିଭିନ୍ନ ସମସ୍ୟା । ଜଗତସିଂହପୁର ଜିଲ୍ଲା ଭଳି ଏକ ଶିକ୍ଷିତ ଜିଲ୍ଲାର ଉକ୍ତ ବ୍ଲକରେ ଉଚ୍ଚ ଶିକ୍ଷାର ପ୍ରଚାର ପ୍ରସାର ଓ ଅଧ୍ୟୟନ ନିମନ୍ତେ ସାଜୁଛି ବାଧକ । ୧୯୮୧ ମସିହାରୁ ତକ୍ରାଳୀନ ବଦାନ୍ୟ ବ୍ୟକ୍ତିତ୍ୱଙ୍କ ପ୍ରଚେଷ୍ଟାରୁ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇ ଆଦ୍ୟାବଧି ସୁମଣିଷ ତିଆରି କାରଖାନାରେ ପରିଣତ ହୋଇଛି । ଏଠାରେ ନାଉଗାଁ ବ୍ଲକ ସମେତ ଜଗତସିଂହପୁର ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ପ୍ରତ୍ୟକ ବର୍ଷ ୨ ହଜାର ପାଖାପାଖି ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ଏହା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୫୫ କାଟାଗୋରି କମ୍ପୋଜିଟ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଅଟେ । ଏଠାରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ +୩ ସ୍ନାତକ କଳା ଓ ବିଜ୍ଞାନ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷରୁ +୨ ଉଚ୍ଚ ମାଧ୍ୟମିକ କଳା ବିଜ୍ଞାନ ଓ ଧନ୍ଦା ମୂଳକ ମିଶ୍ରିତ ଶିକ୍ଷା ପ୍ରଦାନ କରାଯାଏ । ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପୋଜିଟି କଲେଜରୁ +୩ ସ୍ନାତକ ଓ +୨ ଉଚ୍ଚ ମାଧ୍ୟମିକକୁ ପୃଥକ ଦୁଇଟି ଶିକ୍ଷା ଅନୁଷ୍ଠାନ କରିବାକୁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଛି ।
କିନ୍ତୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ୍ ତହସିଲ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୃଥକ ପୃଥକ ୫ ଏକର ୫ ଏକର ଜମି ମୋଟ ୧୦ ଏକର ଜମି ଯୋଗାଇବାରେ ବିଫଳ ହେଉଛନ୍ତି । କଲେଜ ପୃଥକ ନିମନ୍ତେ ସ୍ନାତକ କଲେଜ ପାଇଁ ଏବଂ ୫ ଏକର ଏବଂ +୨ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫ ଏକର ଜମି ୧୦ ଏକର ଜମି ଆବଶ୍ୟକ ହେଉଛି । ଯେଉଁଥିପାଇଁ ଉଚ୍ଚ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ନିଜସ୍ୱ ଜମି ଅଭାବ । ଅନ୍ୟତ୍ର ଦେଖିବାକୁ ଗଲେ ଉକ୍ତ ଅଞ୍ଚଳରେ ସରକାରି ଜମି ଗୁଡିକ ଜବର ଦଖଲ ହେବା ହେତୁ ଏହା କଲେଜ ଏବଂ ଅଞ୍ଚଳର ସରକାରୀ ଉନ୍ନତିମୂଳକ କାର୍ଯ୍ୟରେ ଲାଗିବାରୁ ବାଧା ଉପୁଜୁଛି । ଏନେଇ ୨୦୨୧ ମସିହାରୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତି କର୍ମେ ସରକାରୀ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କଲେଜଙ୍କୁ ଗେଜେଟେଡ ବିଜ୍ଞପ୍ତି ପ୍ରକାଶ କରି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ହେଲେ ରାଜସ୍ୱ ବିଭାଗ ପକ୍ଷରୁ କଲେଜକୁ ୧୦ ଏକର ସରକାରୀ ଜମି ଯୋଗାଇ ଦେବାକୁ ନିଦେ୍ର୍ଦଶ ଥାଇ ସୁଧା ଏଥିରେ ବ୍ୟତିକ୍ରମ ଘଟିବାରୁ ଏହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଚକିତ କରିଛି ।
ଏହି କଲେଜର ଦୁଇ ହଜାର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ନିର୍ଭର କରୁଥିବା ସର୍ବସାଧାରଣ ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ଅବହେଳା କରିବା ଏବଂ ସେମାନଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ଖେଳୁଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯେଉଁଥିପାଇଁ କଲେଜକୁ ରାଜ୍ୟ ସରକାର, ୟୁଜିସି ପକ୍ଷରୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଓ ଆଧୁନିକ ଭିତ୍ତିଭୂମି ବିକାଶରେ ସାଜୁଛି ବାଧକ । କଲେଜରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକୀୟ ସାଧାରଣ ଶ୍ରେଣୀ ଗୃହ, ବିଭିନ୍ନ ବିଭାଗ ସାମ୍ମାନ ଶ୍ରେଣୀ ଗୃହ, ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ଶୌଚାଳୟ, ପୃଥକ କମନ ରୁମ୍, ହଷ୍ଟେଲ, ଅଡିଟୋରିୟମ, ଅତ୍ୟାଧୁନିକ ଲାବ, କମ୍ପୁ୍ୟଟର ଶିକ୍ଷା, ପାନୀୟ ଜଳ, ଖେଳ ପଡିଆ ଆଦି ନ ଥିବାରୁ ନୀତିଦିନ କ୍ଲାସ କରିବାରୁ ବଞ୍ଚିତ ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ସେହିପରି ଶ୍ରେଣୀ ଗୃହ ଅଭାବରୁ ବିଭିନ୍ନ ସମୟରେ କଲେଜରେ ପରୀକ୍ଷା ଚାଲୁଥିବା ସମୟରେ ମଧ୍ୟ କ୍ଲାସଗୁଡିକ ବନ୍ଦ ରହିବା ନଜରକୁ ଆସିଥାଏ । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଶିକ୍ଷାରୁ ନିବୃତ ରହି ଚାପଗ୍ରସ୍ତ ହୋଇଥାନ୍ତି । ଆଗାମୀ ଦିନରେ ଉକ୍ତ ସମସ୍ୟାକୁ ସମାଧାନ କରି ଆବଶ୍ୟକୀୟ ଜମି ଓ ଭିତ୍ତିଭୂମି ବିକାଶ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି । ନଚେତ ଏଥିରେ ବ୍ୟତିକ୍ରମ ହେଲେ ଜିଲ୍ଲା ପ୍ରଶାସନ ନିକଟରେ ଧାରଣା ଦେବାକୁ ଦାବି କରିଛନ୍ତି ।