ମାଓବାଦୀ ନେତା ଆଜାଦ, କୋର୍ଟରେ ହାଜର

ବାଲିଗୁଡ଼ା : କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ କରାଇ ଆତଙ୍କ ସୃଷ୍ଟି କରିଥିବା ଟପ୍‌ ମାଓବାଦୀ ନେତା ଆଜାଦ ଓରଫ କେଶବ ରାଓଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବାଲିଗୁଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟକୁ ଅଣାଯାଇଥିଲା। ସେଠାରେ ଗୁରୁବାର ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ୫ଟି ମାମଲାର ଚାର୍ଜ ଫ୍ରେମ କରାଯାଇଥିଲା।

ଏପରିକି ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ୨୦୦୮ ନଭେମ୍ବର ୫ରେ ଭୈରବୀ ମନ୍ଦିର ନିକଟରେ ଧନୁ ପ୍ରଧାନୀକୁ ହତ୍ୟା, ୨୦୦୯ ଜୁଲାଇ ୧୭ରେ କାଟିଙ୍ଗିଆ ପାଣ୍ଡି ଭଙ୍ଗା ରୁଜା ସହ ହତ୍ୟା, ପୁଣି ଅକ୍ଟୋବର ୪ରେ କାଟିଙ୍ଗିଆ ଫାଣ୍ଡିକୁ ପୋଡ଼ା ଜଳା, ୨୦୧୦ ନଭେମ୍ବର ୨୭ରେ ବଙ୍ଗଡ଼ଦୁଆ ଘାଟିରେ ଆମ୍ବୁଲାନ୍ସକୁ ଲ୍ୟାଣ୍ଡ ମାଇନ ଲଗାଇ ବିସ୍ଫୋରଣ କରି ଉଡ଼ାଇବାରେ ୫ ଜଣଙ୍କ ମୃତ୍ୟୁ ସହ ବ୍ରାହ୍ମଣୀ ଗାଁ ବଜାରରେ ରହୁଥିବା ଡିଲର ମନୋଜ ସାହୁ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ଏପରି ୫ଟି ମାମଲାର ଚାର୍ଜ ଫ୍ରେମ କରିବାକୁ କୋର୍ଟ ସମନ ଦେବା ସହ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜାଦଙ୍କ ପକ୍ଷରୁ ତାଙ୍କ ଓକିଲ ସେକ ସାଦିକ ଡିସଚାର୍ଜ ପିଟିସନ ଫାଇଲ କରିଥିଲେ। ଗୁରୁବାର ଏହାର ଶୁଣାଣୀ ପରେ କୋର୍ଟ ତାକୁ ଖାରଜ କରିଥିଲେ। ଏହି ୫ଟି ମାମଲାର ଚାର୍ଜ ଫ୍ରେମ କରିବା ସହ ପରବର୍ତ୍ତୀ ତାରିଖ ପରେ ଜଣାଇବା ପରେ ଭି.ସି. ମାଧ୍ୟମରେ ସାକ୍ଷ ପ୍ରମାଣ ଗ୍ରହଣ କରାଯିବ ବୋଲି ଆଜାଦଙ୍କ ଓକିଲ ସେକ ସାଦିକ ପ୍ରକାଶ କରିଛନ୍ତି।