ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ଇତିହାସର ମୁକସାକ୍ଷୀ : ପ୍ରଭାତୀ

ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ଇତିହାସର ମୁକସାକ୍ଷୀ : ପ୍ରଭାତୀ

ଭୁବନେଶ୍ୱର : ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ । ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଉତ୍କଳର ସେହି ବୀର ସାଧବ ମାନେ ବୋଇତ ଦ୍ୱାରା ବାଲି, ଜାଭା, ସୁମାତ୍ରା ଓ ଥାଇଲାଣ୍ଡ ସହ ବାଣିଜ୍ୟ ସମ୍ପର୍କ ସ୍ଥାପନ କରି ନିଜ ଦେଶକୁ ଅମାପ ଧନ ସମ୍ପଦ ଆଣି ଆସୁଥିଲେ । ଏପରିକି ଶ୍ରୀଲଙ୍କା ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ଥିବା ପତ୍ନତତ୍ତ୍ୱ ଖନନରୁ ଜଣାପଡିଛି । ମୁମ୍ବାଇ ଠାରେ ଆୟୋଜିତ ଇଣ୍ଡିଆ ମାରିଟାଇମ ୨୦୨୫ରେ ଯୋଗଦେବା ଅବସରରେ ଭାରତର ନୌବାଣିଜ୍ୟ ସମ୍ପର୍କ ଉପରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି । ଚଳିତ ବର୍ଷ କଟକ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏବଂ ଏହାକୁ ଦେଖିବାକୁ ଆସିବାକୁ ଉପସ୍ଥିତ ସମସ୍ତଙ୍କୁ ସେ ଆମନ୍ତ୍ରଣ ଜଣାଇଥିଲେ । ଏଥିରେ ଆମ କଳା, ସଂସ୍କୃତି, ଭାସ୍କର୍ଯ୍ୟ, ବୟନ ଓ ସ୍ୱାଦିଷ୍ଟ ଖାଦ୍ୟର ମହନୀୟତା ପ୍ରତିଫଳିତ ହୋଇଥାଏ ବୋଲି ସେ କହିଥିଲେ । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖୋଲାଯାଇଥିବା ପାଭିଲିୟନ ପରିଦର୍ଶନ କରିଥିଲେ । ଓଡ଼ିଶା ପ୍ୟାଭିଲିୟନ୍‌  ରାଜ୍ୟର ଉଲ୍ଲେଖନୀୟ ସାମୁଦ୍ରିକ ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଭାବଶାଳୀ ପ୍ରଦର୍ଶନ ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । ଓଡ଼ିଶାର ସାମୁଦ୍ରିକ ବିକାଶ ପାଇଁ ସମନ୍ୱିତ ଆଭିମୁଖ୍ୟ ରାଜ୍ୟକୁ ଭାରତର ପୂର୍ବ ସାମୁଦ୍ରିକ କରିଡରରେ ଏକ ଅଗ୍ରଣୀ କେନ୍ଦ୍ର ଭାବରେ ସ୍ଥାନିତ କରୁଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ସ୍ୱାଗତ ଜଣାଇଥିଲେ ଓ ପାଭିଲିୟାନରେ ପ୍ରଦର୍ଶିତ ତଥ୍ୟ ସମ୍ପର୍କରେ ସୂଚନାଦେଇଥିଲେ ।