କାଶ୍ମୀରରେ ସିଆରପିଏଫ ଅଧିକାରୀ ସହିଦ


ାା ଏଜେନ୍ସି ।ା ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲାର ଡଡୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ସୋମବାର ସହିଦ ହୋଇଛନ୍ତି ଜଣେ ସିଆରପିଏଫ୍ ଅଧିକାରୀ । ମୃତ ଅଧିକାରୀ ସିଆରପିଏଫରେ ଇନ୍ସପେକ୍ଟର ଥିଲେ । ଡଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର ଏକ ପୋଷ୍ଟ ନିର୍ମାଣ ଚାଲିଛି । ଏହି ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସେଠାରେ ସିଆରପିଏଫର ଏକ ବାଟାଲିୟନକୁ ମୁତୟନ କରାଯିବ । ସେହି ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ଏକ ଟିମ୍ ନେଇ ସେଠାକୁ ଯାଇଥିଲେ ସହିଦ ହୋଇଥିବା ଏହି ସିଆରପିଏଫ ଇନ୍ସପେକ୍ଟର । ସେତେବେଳେ ଆତଙ୍କବାଦୀମାନେ ଆମ୍ବୁଶ ଲଗାଇ ସେମାନଙ୍କ ଉପରେ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ଇନ୍ସପେକ୍ଟରଙ୍କର ମୃତୁ୍ୟ ଘଟିଥିଲା । 
ଏଇ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜୁଲାଇ ମାସରେ ଡୋଡା ଜିଲ୍ଲାରେ ସେନାର ଜଣେ ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଥିଲେ । ସେହିଭଳି ସେହି ମାସରେ ଜମ୍ମୁ ଡିଭିଜନରେ ଥିବା କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଏକ କନଭୟ ଉପରକୁ ଆକ୍ରମଣ କରିବାରୁ ଜଣେ ଜୁନିୟର କମିଶନ୍ଡ ଅଫିସରଙ୍କ ସମେତ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପକ୍ଷରେ କୁଲଗାମ ଜିଲ୍ଲାରେ ଜୁଲାଇ ୬ ତାରିଖରେ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ଏହି ଦୁଇଟି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ୫ ଦିନ ତଳେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଡୋଡା ଜିଲ୍ଲାରେ ଏକ ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ ସେନାର ଜଣେ କ୍ୟାପ୍ଟେନ୍ ।