ଏପ୍ରିଲ ପହିଲାରୁ ପିଆଜ ରପ୍ତାନୀରେ ୨ଠ% ଶୁଳ୍କ ହ୍ରାସ
ନୂଆଦିଲ୍ଲୀ: ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିଛନ୍ତି । ଆସନ୍ତା ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ରାଜସ୍ୱ ବିଭାଗ ଦ୍ୱାରା ଆଜି ଏହି ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଶୁଳ୍କ, ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମ୍ଇପି) ଏବଂ ଏପରିକି ୨୦୨୩ ଡିସେମ୍ବର ୮ ରୁ ୨୦୨୪ ମେ ୩ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ମାସ ପାଇଁ ରପ୍ତାନୀ ନିଷେଧାଦେଶ ଜାରି କରିଥିଲେ । ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କ୍ରମେ ଆଜି ଏହା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ହଟାଇ ଦିଆଯାଇଥିବା ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ୧୩ ସେପ୍ଟେମ୍ବର ୨୦୨୪ ଠାରୁ ଲାଗୁ ହୋଇଥିଲା ।
ସେପଟେ ରବି ଫସଲର ଭଲ ଆଗମନ ପରେ ଉଭୟ ମଣ୍ଡି ଓ ଖୁଚୁରା ମୂଲ୍ୟ ହ୍ରାସ ପାଇଛି । ଏହି ସମୟରେ କୃଷକମାନଙ୍କୁ ପାରିଶ୍ରମିକର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ପାଇଁ ପିଆଜର ସୁଲଭତା ବଜାୟ ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ ହେଉଛି ଏହି ନିଷ୍ପତ୍ତି । କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ, ଚଳିତ ବର୍ଷ ରବି ଉତ୍ପାଦନ ୨୨୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି, ଯାହା ଗତ ବର୍ଷ ୧୯୨ ଏଲଏମଟି ତୁଳନାରେ ୧୮ ପ୍ରତିଶତ ଅଧିକ । ଭାରତର ମୋଟ ପିଆଜର ଉତ୍ପାଦନରେ ରବି ପିଆଜର ଯୋଗଦାନ ହେଉଛି ୭୦-୭୫%, ଯାହା ଅକ୍ଟୋବର/ନଭେମ୍ବରରୁ ଖରିଫ ଫସଲ ଆସିବା ପର୍ଯ୍ୟନ୍ତ ସାମଗ୍ରିକ ଉପଲବ୍ଧତା ଏବଂ ମୂଲ୍ୟ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଚଳିତ ଋତୁରେ ଆଶା କରାଯାଉଥିବା ଉଚ୍ଚ ଉତ୍ପାଦନ ଆଗାମୀ ମାସଗୁଡ଼ିକରେ ବଜାର ମୂଲ୍ୟକୁ ଆହୁରି ହ୍ରାସ କରିବ ବୋଲି ଆଶା କରାଯାଉଛି ।