CRPF ଯବାନ ଗାଡ଼ି ଘାଟି ତଳକୁ ଖସିଲା : ୨ ଯବାନ ସହିଦ୍

ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ CRPF ଯବାନଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୬ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲ ନିଆଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ X ରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି- କଣ୍ଡୱା-ବସନ୍ତଗଡ଼ ଅଞ୍ଚଳରେ CRPF ର ଏକ ଗାଡ଼ି ସହିତ ଘଟିଥିବା ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ଗାଡ଼ିରେ CRPF ର ଅନେକ ସାହସୀ ଯବାନ ଥିଲେ । ମୁଁ ବର୍ତ୍ତମାନ ଡିସି ସଲୋନୀ ରାୟଙ୍କ ସହ କଥା ହୋଇଛି ଯିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମୋତେ ସୂଚନା ଦେଉଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି । ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସୁନିଶ୍ଚିତ କରାଯାଉଛି । ଏହି ଦୁଃଖଦ ଘଟଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ,ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପୁଲିସ ତଦନ୍ତରେ ଲାଗିଛି ଏବଂ ଦୁର୍ଘଟଣାର କାରଣ ଖୋଜି ବାହାର କରୁଛି । CRPF ତରଫରୁ କୁହାଯାଇଛି ଯେ ୧୮୭ ତମ ବାଟାଲିୟନର ଏକ ଗାଡ଼ି ଯେଉଁଥିରେ ୧୮ ଜଣ ଯବାନ ଥିଲେ । ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଗାଡ଼ିଟି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ କଣ୍ଡୱାରୁ ବସନ୍ତଗଡ଼ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଘାଇରେ ଖସି ପଡ଼ିଥିଲା ।