ପ୍ରାକ୍ତନ ‘ସୂର୍ଯ୍ୟପ୍ରଭା’ ପ୍ରତିନିଧି ଭାଗିରଥୀଙ୍କ ପରଲୋକ
କାଳିଆପାଣି : ଦୀର୍ଘବର୍ଷ ଧରି ସାମାଜିକ ସ୍ଥରରେ କାର୍ଯ୍ୟ କରି ଅସୁସ୍ଥତା କାରଣରୁ ଅପସରି ଯାଇଥିବା ପ୍ରାକ୍ତନ ସୂର୍ଯ୍ୟପ୍ରଭା ପ୍ରତିନିଧି ଭାଗିରଥୀ ଭଞ୍ଜ(୫୬)ଙ୍କ ପରଲୋକ ଘଟିଛି । ସୋମବାର ରାତି ପ୍ରାୟ ୩ଘଟିକା ସମୟରେ ହୃଦଘାତରେ କାଳିଆପାଣି ଖଣି ଅଞ୍ଚଳ ବାସଭବନରେ ପରଲୋକ ଘଟିଥିଲା । ସୁକିନ୍ଦା ପ୍ରେସ କ୍ଲବର ସଭାପତି ଭାବରେ ଅନେକ ବର୍ଷ କାର୍ଯ୍ୟ କରିଥିବା ସ୍ୱର୍ଗତ ଭଞ୍ଜଙ୍କ ପରଲୋକ ଖବର ପ୍ରଚାରିତ ପରେ ଖଣି ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । କାଳିଆପାଣି ଖଣି ଅଞ୍ଚଳରେ ବ୍ୟବସାୟ ଆରମ୍ଭ କରିବା ସହ ସପ୍ତାହିକ ଟାଟା ହାଟର ସେ ଥିଲେ ଲିଜଧାରୀ । ଜଣେ ପରଉପକାରୀ, ମିଷ୍ଟଭାଷୀ ଭାବେ ପରିଚିତ ସ୍ୱର୍ଗତ ଭଞ୍ଜଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସୁକିନ୍ଦା ପ୍ରେସ୍ କ୍ଳବର ସଭାପତି ବିଶ୍ୱଜିତ୍ ନାୟକ, ସଂପାଦକ ନୀଳମାଧବ ନାୟକଙ୍କ ସମେତ ସମସ୍ତ ସାମ୍ବାଦିକ, ସୁକିନ୍ଦା ରିଜିୟନ୍ କ୍ରୋମାଇଟ ଖାଦାନ ମଜଦୂର ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର, ସୁକିନ୍ଦା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତ, ବିଦ୍ୟାଧର ପାତ୍ର, ଆଶିଷ କୁମାର ଜେନା, ହିରାଲାଲ ମହାନ୍ତଙ୍କ ସମେତ ଶହ ଶହ ଜନ ସାଧାରଣ କଲରଙ୍ଗି ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶ୍ରଦ୍ଧଞ୍ଜଳି ଅର୍ପଣ କାରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଦିବା ୧୧ଘଟିକା ସମୟରେ ଟାଟା ମୁଖ୍ୟ ବଜାରରେ ପରିକ୍ରମା କରି ବାସଭବନ ନିକଟରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ସ୍ୱର୍ଗତ ଭଞ୍ଜଙ୍କ ବିୟୋଗରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବିଜେପି ନେତା ପ୍ରଦୀପ ବଳସାମନ୍ତ, ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ଶରତ ପଥାଳ, ଉମାକାନ୍ତ ରାଉତ ପ୍ରମୁଖଙ୍କ ସହ ‘ସୂର୍ଯ୍ୟପ୍ରଭା’ ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।