ଅବଧି ପରେ ବି ସରୁନି ରାସ୍ତା; ହନ୍ତସନ୍ତ ଜନତା
ଧର୍ମଶାଳା : ଧର୍ମଶାଳା ବ୍ଲକ ୧୬ନଂ ଜାତୀୟ ରାଜପଥର ବୁଦ୍ଧଛକରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଅବଧି ସରିବାର ୬ମାସ ପରେ ମଧ୍ୟ କାର୍ଯ୍ୟ ସରୁନି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ମୁତାବକ ଏହି ରାସ୍ତାଟିର ନିର୍ମାଣ ପାଇଁ ପୂର୍ତ୍ତର୍ ବିଭାଗ ଅଧୀନରେ୧୪କୋଟି ୬୪ଲକ୍ଷଟଙ୍କା ବ୍ୟୟବରାଦ କରାଯାଇ ୨୦୨୩ ଡିସେମ୍ବର ୮ତାରିଖରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହାର ଶିଳାନ୍ୟାସ କରିଥିଲେ । କାର୍ଯ୍ୟ ଆରମ୍ଭରୁ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ମାଟି ବିନା ଅନୁମତିରେ ପକାଯାଉଥିବା ଖୋଦ୍ ଡିଡିଏମ ଓ ତହସିଲ୍ଦାର ସ୍ୱୀକାର କରିଥିଲେ । ବର୍ତ୍ତମାନ ରାସ୍ତା କାମ ଶେଷ ନହୋଇଥିବା ବେଳେ ମନମୁଖୀ ଭାବେ ଠିକାଦାର ଏହି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତାଟି ଧର୍ମଶାଳା ବଜାର ସହ ସଂଯୋଗ କରୁଥିବା ବେଳେ ସେଠାରେ ଥାନା, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର,ତହସିଲ୍ କାର୍ଯ୍ୟାଳୟ, ସବରେଜିଷ୍ଟର ଓ ସରକାରୀ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ରହିଛି । ଯାହା ଫଳରେ ସୋମବାରରୁ ଶନିବାର ଦୈନଦିନ ଏହି ରାସ୍ତାରେ ଉପରେ ଶହଶହ ସଂଖ୍ୟାରେ ଲୋକେ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଯାତାୟତ କରିଥାନ୍ତି । ରାସ୍ତାର ମଧ୍ୟ ଭାଗରେ ପୁରୁଣା ପିଚୁ ରାସ୍ତା କିଛି ସ୍ଥାନରେ ଥିବା ବେଳେ ଉଭୟ ପାର୍ଶ୍ୱରେ ଡଷ୍ଟ୍ ଓ ଛୋଟ ଛୋଟ ଚିପ୍ସଗୁଣ୍ଡ ପଡ଼ିଛି । କୌଣସି ଭାରିଯାନ କିମ୍ବା ଚାରି ଚକିଆ ଯାନ ଯିବା ବେଳେ ଡଷ୍ଟ ଓ ଧୁଳି ଉଡ଼ିବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ଡଷ୍ଟକୁ ରୋକିବାକୁ ପାଣି ଛିଞ୍ଚନ ବ୍ୟବସ୍ଥା ରହିଥିଲେ ହେଁ ଠିକାଦାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ଫଳରେ ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା ଏବଂ ଅଫିସ କାମରେ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ଗୋଟାଏ ପାଶ୍ୱର୍ କାର୍ଯ୍ୟକ୍ଷମ ଶେଷ କରି ସାଧାରଣ ଲୋକଙ୍କ ଯାତାୟତ ପାଇଁ ସୁବିଧା କରିବା ବଦଳରେ ମନମୁଖୀରେ ରାସ୍ତା ତାଢ଼ି ଠିକାଦାର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ରାସ୍ତା କାମ ସମୟରେ ଜନ ସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆ ଯାଉନଥିବା ଅଭିଯୋଗ ହୋଇଛି । ଏହାଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।