ପରିତ୍ୟକ୍ତ ଗୃହରେ ପୂଜକଙ୍କୁ ବୀଭତ୍ସହତ୍ୟା; ଅଭିଯୁକ୍ତ ଅଟକ
ଦାନଗଦୀ: ରବିବାର ବିଳମ୍ବିତ ରାତିରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ନୂଆଗାଁ ଛକରେ ଥିବା ଏକ ପରିତ୍ୟକ୍ତ ଘରେ ରହୁଥିବା ଜନୈକ ପୂଜକଙ୍କୁ ବିଭସôହତ୍ୟା କରାଯାଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ପୂଜକ ଦଶରଥପୁର ଥାନା ଅନ୍ତର୍ଗତ ବିଭୁତିପୁରର ବିଘ୍ନରାଜ ଷଡ଼ଙ୍ଗୀ (୫୫) ହୋଇଥିବା ବେଳେ ନୂଆଗାଁ ଛକରେ ଥିବା ଏକ ପରିତ୍ୟକ୍ତ ଘରେ ରହି ଦାନଗଦୀ ବଜାରରେ ପୂଜାପାଠ କରି ଚଳିଥାନ୍ତି । ବଜାରରେ ବୁଲି ଦୋକାନ ମାନଙ୍କରେ ପୂଜା ପାଠ ସହ ସନ୍ଧ୍ୟା ପରେ ମିଲିଟାରୀ ଛକ ନିକଟରେ ଥିବା ପରିତ୍ୟକ୍ତ ଘରେ ରୁହନ୍ତି । ଯେଉଁ ପରିତ୍ୟକ୍ତ ଘରେ ମଙ୍ଗଳପୁର ପଂଚାୟତର ନୂଆଗାଁର ବାଇଧର ନାଥଙ୍କ ପୁଅ ସଞ୍ଜୁ (୩୦) ତାଙ୍କ ଛୋଟ ଝିଅକୁ ଧରି ରୁହନ୍ତି । ପୂଜକ ଓ ସଞ୍ଜୁ ରାତିରେ ଉକ୍ତ ଘରେ ରହୁଥିବା ବେଳେ ଆଜି ସକାଳେ ପୂଜକଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ଖବର ଥାନାରେ ପହଁଚିବା ପରେ ପୁଲିସ ପହଁଚି ଶବକୁ ଜବଦ କରିବା ସହ ଅନୁସନ୍ଧାନ ଆରମ୍ଭ କରି ପୂଜକଙ୍କ ସହ ରହୁଥିବା ସଞ୍ଜୁକୁ ଥାନାକୁ ଧରି ନେଇ ପଚରା ଉଚରା କରିଥିଲା । ପଚରା ଉଚରା ପରେ ସଞ୍ଜୁ ଗଲାକାଲି ପୂଜକଙ୍କ ମୁହଁକୁ ପଥରରେ ଛେଚିବା ପରେ ପରିବା କଟା ଛୁରୀରେ ବେକକୁ କାଟି ଦେଇଥିଲା । ଅଭିଯୁକ୍ତ ସଞ୍ଜୁ ଟଙ୍କା ପାଇଁ ପୂଜକଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ପୂଜକ ଜଣଙ୍କ ସପ୍ତାହରେ ଥରେ ଘରକୁ ଯାଆନ୍ତି । ଯାହା ଆଦାୟ କରିଥାନ୍ତି ନିଜ ପାଖରେ ରଖନ୍ତି । ନିଶାଶକ୍ତ ସଞ୍ଜୁ ତାଙ୍କ ପାଖରେ ଟଙ୍କା ଥିବାର ଦେଖି ତାଙ୍କୁ ମାରୁମାରୁ ମାରିଦେଇଛି ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସାଇଂଟିଫିକଟିମ ପହଁଚି ଅନୁସନ୍ଧାନ କରିଥିବା ବେଳେ ମୃତ ଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି । ଯାଜପୁର ଟାଉନରୁ ପୂଜକଙ୍କର ପରିବାର ଲୋକ ଆସି ଦାନଗଦୀ ମେଡିକାଲରେ ପହଁଚିଛନ୍ତି । ପୁଲିସ କେସ ନମ୍ବର୧୧୫/୨୫ରେ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ମଙ୍ଗଳବାର କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।