କଲଭର୍ଟ ଡେଇଁ ଟାଟାଏସିକୁ ପିଟିଲା କାର ୨ ମୃତ
ଭୁବନେଶ୍ୱର : ଇନଫୋଭ୍ୟାଲି ଥାନା ଅଧିନ ଯାଆଁଳା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆସୁଥିବା ଏକ କାର ଦ୍ରୁତଗତିରେ ଆସି କଲଭର୍ଟ ଡେଇଁ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ଏକ ଟାଟା ଏସିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଟାଟା ଏସିରେ ଥିବା ଡ୍ରାଇଭର ଓ ରାସ୍ତାରେ ଠିଆ ହୋଇଥିବା ଅନ୍ୟ ଜଣେ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ କାର ଚଳାଉଥିବା ଜଣେ ମହିଳା ଓ ୨ ଜଣ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଦୁଇ ଜଣ ହେଲେ, ନୟାଗଡ଼ ଜିଲ୍ଲା ଜଗଙ୍ଗି ସାହିର ହରେନ୍ଦ୍ର ସିଂ । ସେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହିଆସୁଥିଲେ । ଅନ୍ୟ ଜଣେ ମୃତକଙ୍କ ଏବେ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ । ଆସନ୍ତାକାଲି ତାଙ୍କର ପରିଚୟ ଜଣାପଡ଼ିବ ବୋଲି ଇନଫୋଭ୍ୟାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ସୋମବାର ଦିନ ମଧ୍ୟାହ୍ନ ପ୍ରାୟ ସାଢ଼େ ୩ଟାରେ ଖୋର୍ଦ୍ଧା ପଟୁ ଆସୁଥିବା ଏକ କ୍ରେଟା (ଓଡ଼ି୦୨ସିଜେ-୭୫୬୫) ଦ୍ରୁତଗତିରେ ଆସି ଯାଆଁଳା ଛକ ନିକଟରେ ହଠାତ୍ କଲଭର୍ଟକୁ ଡେଇଁ ଭୁବନେଶ୍ୱର ଆଡ଼ୁ ଖୋର୍ଦ୍ଧା ଦିଗକୁ ଆସୁଥିବା ଏକ ଟାଟା ଏସିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡିର ୫ ଜଣ ଆହତ ହେବା ସହ ଟାଟା ଏସି ଗାଡିରେ ଥିବା ଡ୍ରାଇଭର ଓ ଜଣେ ଲୋକଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଯାଆଁଳା ଫାଣ୍ଡି ପୁଲିସ ଓ ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଏମସ୍ ହସ୍ପିଟାଲକୁ ପଠାଇଥିଲା ।